ମଦ ନେଉଛି ଜୀବନ:୩ ଦିନରେ ୪ ମୃତ, ପ୍ରଶାସନ ଚୁପ୍‌

ହାଟଡିହି: ହାଟଡିହି ବ୍ଲକ ଢେଙ୍କା ଅଞ୍ଚଳରେ ଏବେ ଦେଶୀମଦ ପ୍ରସ୍ତୁତି ଜୋରସୋରରେ ଚାଲିଛି। ମଦପିଇ ଦିନକୁ ଦିନ ଲୋକମାନେ ମୃତ୍ୟୁମୁଖରେ ପଡୁଥିଲେ ବି ଅବକାରୀ ବିଭାଗ କିମ୍ବା ପୁଲିସ କେହି କିଛି ପଦକ୍ଷେପ ନେଉ ନାହାନ୍ତି। ଗତ ୩ଦିନ ଭିତରେ ଚାରିଜଣ ବ୍ୟକ୍ତି ମଦ ପିଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ତିନିଦିନ ତଳେ ସଢ଼ା ଗ୍ରାମର ଜଣେ ବ୍ୟକ୍ତି ନିଶାସକ୍ତ ହୋଇ ରାସ୍ତାରେ ପଡ଼ି ପ୍ରାଣ ହରାଇଥିଲେ। ଗତକାଲି ଢେଙ୍କା ପଞ୍ଚାୟତର ଛୁଆଳିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେହିପରି ଗତକାଲି ଝଣଝଣା ଗ୍ରାମର ଜଣେ ବ୍ୟକ୍ତି ଏହି ଦେଶୀମଦ ପିଇପିଇ ପ୍ରାଣ ହରାଇଥିବା ବେଳେ ଆଜି ଜଣକର ମୃତ୍ୟୁ ହୋଇଛି। ପ୍ରତି ଗାଁ ଓ ଛକରେ ଅବାଧରେ ଏହି ମଦ ବିକ୍ରି ହେଉଥିବାରୁ ସହଜରେ ଲୋକମାନେ ଏହାକୁ ପାଇପାରୁଛନ୍ତି।

ଶେଷରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଢେଙ୍କା, ପୁରୁଣାପାଣି, ହାଟସାହି, ପଥରଗଦା, ଡଙ୍ଗାଚୁଆ ଆଦି ଗ୍ରାମ ନିକଟରେ ଅନେକ ଲୋକ ଏହି ଦେଶୀମଦ ପ୍ରସ୍ତୁତ କରୁଛନ୍ତି। ଦିନକୁ ହଜାର ଲିଟରରୁ ଊର୍ଦ୍ଧ୍ୱ ମଦ ପ୍ରସ୍ତୁତ କରାଯାଇ ଏ ଅଞ୍ଚଳ ସହ ବାହାରକୁ ମଧ୍ୟ ଚାଲାଣ ହେଉଛି। ମଦକୁ ଅଧିକ ନିଶାଯୁକ୍ତ କରିବାପାଇଁ ଏଥିରେ ରାସାୟନିକ ସାମଗ୍ରୀ ମିଶା ଯାଉଥିବାରୁ ତାହା ବିଷାକ୍ତ ହୋଇଯାଉଛି। ତାକୁ ପିଇ ଏ ଅଞ୍ଚଳର ଶହଶହ ଲୋକ ଏବେ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏବେ ରାଇନଟା, ଛୁଆଳିଆ, ଢେଙ୍କା, ସୁନ୍ଦରପୁର ଆଦି ଗ୍ରାମରେ ଅନେକ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଗତ ବର୍ଷକ ମଧ୍ୟରେ ଏ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଉଛି। ଏଥିପ୍ରତି ଅବକାରୀ ବିଭାଗ ଓ ପୁଲିସ ତୁରନ୍ତ ପଦକ୍ଷେପ ନନେଲେ ଢେଙ୍କା ଅଞ୍ଚଳରେ ପରିସ୍ଥିତି ଅଣାୟତ ହୋଇପଡ଼ିବା ସହ କିଛି ଗାଁ ପୁରୁଷଶୂନ୍ୟ ହୋଇପଡ଼ିବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର