ପାଇକସାହି: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ୍ ରେଞ୍ଜର ଗୋପାଳପୁର ଗ୍ରାମରେ ମଙ୍ଗଳବାର ସକାଳେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଜୟନ୍ତୀ ବୀର ଓ ତାଙ୍କ ବୟସ ୪୨ ବର୍ଷ ବୋଲି ଜଣାପଡ଼ିଛି । ପୁରୁଣାକୋଟ୍ ରେଞ୍ଜ ଅଫିସର ଗଜେନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ଦନ୍ତାକୁ ଘଉଡାଇ ଦେଇଛନ୍ତି । ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ରହିଛି ଯେ, ଭୋର୍ ପ୍ରାୟ ୩ରୁ ୩.୩୦ ମଧ୍ୟରେ ଜୟନ୍ତୀ ପରିଶ୍ରା କରିବାକୁ ନିଜ ଘରୁ ବାହାରକୁ ଆସିଥିଲେ। ସେହି ସମୟରେ ଜଙ୍ଗଲରୁ ଆସିଥିବା ଏକ ଦନ୍ତା ହାତୀ ମହିଳାଙ୍କୁ ଆକ୍ରମଣ କରିଥିଲା। ଫଳରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଥିଲା।
ପୂର୍ବରୁ ମଧ୍ୟ ଅନେକ ଥର ଦନ୍ତା ହାତୀ ଗ୍ରାମ ଭିତରକୁ ପଶି ଆସୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଅନେକ ଥର ହାତୀ ଆକ୍ରମଣରେ ଅଘଟଣ ଘଟି ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟି ଦିଆଯାଉ ନ ଥିବା କାରଣରୁ ଗାଁର ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।
ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ଆଜି ୪୦ ହଜାର ଟଙ୍କା ଦେବାକୁ ଘୋଷଣା ହୋଇଥିବା ବେଳେ ଅନୁକମ୍ପାମୁଳକ ରାଶି ଭାବେ ପରବର୍ତ୍ତୀ ମୁହୂର୍ତ୍ତରେ ୪ ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ଦନ୍ତାହାତୀ ଯୋଗୁଁ ଘଟୁଥିବା ଅଘଟଣକୁ ଏଡ଼ାଇବା ପାଇଁ ଦିନ-ରାତି ପୁଲିସ୍ ପାଟ୍ରୋଲିଂ କରିବ ବୋଲି ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Elderly-woman-killed-daughter-injured-in-elephant-attack-1140x570-1-1024x512.jpg)