ଅନୁଗୁଳ/ପରଜଙ୍ଗ/ କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଯୁଲଙ୍ଗ ଗ୍ରାମର ଗୁମାନି ବିଶ୍ଵାଳଙ୍କ ପତ୍ନୀ ଦୁଲଣ ବିଶ୍ଵାଳ (୬୦)ଆଜି ସକାଳ ୬ ଟାରେ ସବରା ବନ୍ଧକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ଏକ ଦନ୍ତା ହାତୀ ହାବୁଡରେ ପଡି ଯାଇଥିଲେ । ଘଟଣାସ୍ଥଳରେ ହାତୀଟି ତାଙ୍କୁ କଚାଡି ଫିଙ୍ଗିଦେଇଥିଲା ।
ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଦୌଡ଼ି ଆସି ପାଟି କରିବାରୁ ହାତୀଟି ନିକଟସ୍ଥ ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା । ଆହତ ଦୁଲଣଙ୍କୁ ଗ୍ରାମ ପରିବାର ଲୋକ ସାଙ୍ଗେ ସାଙ୍ଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ସମ୍ପର୍କରେ ମୃତ ଦୁଲଣଙ୍କ ପୁଅ ଦେବରାଜ କୁହନ୍ତି ଯେ ଘଟଣା ବାବଦରେ ବନ ବିଭାଗ ଖବର ପାଇଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ପରିବାର ନିକଟକୁ ଆସି ନାହାନ୍ତି ।
ଖବର ପାଇବା ପରେ କାମାକ୍ଷାନଗର ରେଞ୍ଜର ବିଭୂଦାନନ୍ଦ ମିଶ୍ର ଓ ବନ କର୍ମଚାରୀ ମାନେ ଗ୍ରାମରେ ପହଞ୍ଚିଥିଲେ । ବିଭାଗ ପକ୍ଷରୁ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ଦୁଲଣଙ୍କ ସାନ ପୁଅ ଜଳଧର ବିଶ୍ୱାଳଙ୍କୁ ଦିଆଯାଇଥିବା ରେଞ୍ଜର କହିଛନ୍ତି । ସେ କହିଛନ୍ତି ଯେ, ଗତ ରାତିରେ ଉକ୍ତ ଅଞ୍ଚଳରେ ୨୨ଟି ହାତୀ ଥିଲେ ଓ ହାତୀମାନଙ୍କ ଗତିବିଧି ଉପରେ ବନ କର୍ମଚାରୀ ମାନେ ନଜର ରଖିଥିଲେ ।