ଯୌତୁକ ପାଇଁ ବଧୂହତ୍ୟା, ସ୍ୱାମୀ, ଶାଶୁ ଓ ଶ୍ୱଶୁର ଥାନାରେ ଅଟକ

ରାସୋଳ : ଅନୁଗୁଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଗାଁରେ ଆଜି ଘଟିଛି ବଧୂହତ୍ୟା। ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକମାନେ ବୋହୂ ମିତାରାଣୀ ସାହୁ (୨୫)କୁ ତଣ୍ଟିଚିପି ହତ୍ୟା କରିଛନ୍ତି। ମିତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୁ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ମିତାଙ୍କ ସାନଭାଇ ହିନ୍ଦୋଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବଅଁରପାଳ ଥାନା ମହୀଧରପୁର ଗାଁର ସ୍ୱର୍ଗତ ମାୟାଧର ସାହୁଙ୍କ ଝିଅ ମିତାରାଣୀ ସାହୁ ୬ ବର୍ଷ ତଳେ ହାତୁରା ଗାଁର ନବ ସାହୁଙ୍କ ପୁଅ ବିଜୟ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେତେବେଳେ ଯୌତୁକ ବାବଦକୁ ୫୦ ହଜାର ଟଙ୍କା ଦିଆଯାଇଥିଲା। ପରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକମାନେ ମିତାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ଦୁଇମାସ ତଳେ ମିତା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗାଁକୁ ଆସି ଶାଶୁଘର ଲୋକଙ୍କୁ ତାଗିଦ୍‌ କରିବା ସହ ଆପୋଷ ସମାଧାନ କରିଥିଲେ। ଆଜି ମିତା ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ଶାଶୁଘର ପକ୍ଷରୁ ମିତାଙ୍କ ପରିବାର ଲୋକ ଜଣାଇଥିଲେ। ଏହା ଆତ୍ମହତ୍ୟା ନୁହେଁ ବରଂ ତଣ୍ଟିଚିପି ମାରି ଦିଆଯାଇଛି ବୋଲି ମିତାର ସାନଭାଇ ଲିଟୁନ ସାହୁ ପୁଲିସରେ ଅଭିଯୋଗ କରିଛନ୍ତି।

ସୂଚନା ପାଇ ହିନ୍ଦୋଳ ଥାନା ପୁଲିସ୍‌ ଗାଁରେ ପହଞ୍ଚି ଶବ ଜବତ କରିଛି ଓ ତିନି ଅଭିଯୁକ୍ତ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖିଛି। ଆସନ୍ତାକାଲି ଘଟଣାର ମାଜିଷ୍ଟ୍ରେଟ୍‌ ଓ ସାଇଣ୍ଟିଫିକ୍‌ ତଦନ୍ତ କରାଯିବ ବୋଲି ହିନ୍ଦୋଳ ଏସ୍‌ଡିପିଓ ସୁଧାକର ଜେନା କହିଛନ୍ତି। ଏ ସମ୍ପର୍କରେ ହିନ୍ଦୋଳ ଥାନା ଅଧିକାରୀ ଯୁଗଳ କିଶୋର ଦାସ କହିଛନ୍ତି, ଯେ ପୂର୍ବରୁ ମିତାଙ୍କୁ ତାଙ୍କ ସ୍ୱାମୀ ମାଡପିଟ କରୁଥିବା ନେଇ ଥାନାରେ ୩/୪ ଥର ଅଭିଯୋଗ ହୋଇଥିଲା। କିନ୍ତୁ ପରେ ଆପୋଷ ସମାଧାନ କରାଯାଇଥିଲା। ଆଜି କିନ୍ତୁ ତାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁର ଯୌତୁକ ପାଇଁ ମିଳିତ ଭାବେ ମିତାଙ୍କୁ ମାରିଦେଇଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି। ଏତଲା କ୍ରମେ ଏକ ହତ୍ୟା ମାମଲା ରୁଜୁ ସହ ଶବ ଜବତ କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର