ବଅଁରପାଳ: ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କଲେ ମହୀଧରପୁର ଗ୍ର‌ାମର ମହିଳା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ଗ୍ରାମ ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ। ଏହି ଗାଁରେ ପାନୀୟ ଜଳ ଯୋଗାଣ କରା ଯାଇନଥିବାରୁ ଅଭିଯୋଗରେ ଗ୍ର‌ାମର ମହିଳା ରାସ୍ତା ଅବରୋଧ  କରିଥିଲେ। ଏହା ସହ ଗ୍ରାମର ଏକାଧିକ ନଳକୂପ ଅଚଳ ହୋଇଥିଲେ ମଧ୍ୟ ମରାମତି ହେଉନଥିବାର ଅଭିଯୋଗରେ ବି ଆଜି ମହୀଧରପୁର ଗ୍ରାମର ମହିଳାମାନେ ଅନୁଗୁଳ-ମହୀଧରପୁର ମୁଖ୍ୟ ରାସ୍ତାକୁ ଆଜି ସକାଳେ ଗରା, ବାଲ୍ଟି ଧରି ଅବରୋଧ କରିଥିଲେ।

Advertisment

ମହୀଧରପୁର ଗ୍ରାମପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ହୋଇ  ଏକାଧିକ ପ୍ରକଳ୍ପ ନିର୍ମାଣ କରିଥିଲେ ମଧ୍ୟ ଗ୍ରାମର ଅଧାରୁ ଅଧିକ ସାହିକୁ ପାନୀୟ ଜଳ ଯୋଗାଣ ହୋଇନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତକରି ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ୩ ଘଣ୍ଟା ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଏହା ଫଳରେ ଅନୁଗୁଳ ମହୀଧରପୁର , ବଅଁରପାଳ, ଆଠଗଡ଼ ଅଞ୍ଚଳକୁ ଯାତାୟାତ ଠପ ହୋଇଥିଲା। ବଅଁରପାଳ ବିଡିଓ ଏଲିଜା ମିଶ୍ର, ମହୀଧରପୁର ସରପଞ୍ଚ ବିନୋଦ କୁମାର ବେହେରା ପ୍ରମୁଖ ପହଞ୍ଚିଥିଲେ। ଏହାପରେ ମହିଳାମାନଙ୍କୁ ବୁଝାସୁଝା କରିବା ସହିତ ବର୍ତ୍ତମାନ ଜଳ ସଙ୍କଟ ଦୂର ପାଇଁ ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯିବ ଓ ଅଚଳ ନଳକୂପ ଆଜି ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ରାସ୍ତାରୋକରୁ ଓହରିଥିଲେ।