ମହିଳା ଓ ଶିଶୁଙ୍କ ସୁରକ୍ଷା ଚିନ୍ତା:ବନ୍ଦ ହେବ ଅବୈଧ ଅନୁଷ୍ଠାନ

ସାପ୍ତାହିକ ରିପୋର୍ଟ ଦେବେ ଏସ୍‌ପି

ଅନୁଗୁଳ: ବିହାରର ଏକ ଘରୋଇ ଶିଶୁ ଯତ୍ନ ଅନୁଷ୍ଠାନରେ ଚାଲିଥିବା ବେଆଇନ କାରବାର ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଶିଶୁ ଯତ୍ନ ଅନୁଷ୍ଠାନ ଓ ମହିଳା ସେଲ୍ଟର ହୋମ୍‌ରେ କଣ ଚାଲିଛି ତାହାର ଟିକ୍‌ନିକ୍‌ ହିସାବ ରଖିବା ପାଇଁ ପ୍ରଶାସନକୁ କଡ଼ା ତାଗିଦ କରାଯାଇଛି। ଉଭୟ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏ ବାବଦରେ ଚିଠି ଆସିଛି। ଶିଶୁ ଯତ୍ନ ଅନୁଷ୍ଠାନ ଓ ମହିଳା ଆଶ୍ରୟସ୍ଥଳ ଉପରେ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଏବଂ ଅଣସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନକୁ ବନ୍ଦ କରିବା

ସହ ପ୍ରତି ସପ୍ତାହରେ ସରକାରଙ୍କୁ ଏହାର ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଆସିଛି। ଉଭୟ ଅନୁଷ୍ଠାନରେ ପୁରୁଷ ପ୍ରବେଶ ନିଷିଦ୍ଧ କରାଯାଇଥିବା ବେଳେ ପରିଚାଳକଙ୍କ ପୁରୁଷ ସମ୍ପର୍କୀୟ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ୨୪ ଘଣ୍ଟିଆ ଚଳନକ୍ଷମ ସିସିଟିଭି କ୍ୟାମେରା ଲାଗିବା ସହ ନିୟମିତ ପ୍ରଶାସନ ଏହାକୁ ମନିଟର କରିବାକୁ ନିର୍ଦ୍ଦେଶ ରହିଛି। ତା ସହିତ ପାଚେରି, ଭିଜିଟର ରେଜିଷ୍ଟର, କାନ୍ଥରେ ଶିଶୁ ସହାୟତା ଫୋନ-୧୦୯୮ ଓ ମହିଳା ସହାୟତା ଫୋନ୍‌ ନଂ ୧୮୧ ସହ ଶିଶୁ ସୁରକ୍ଷା ଅଧିକାରୀ ଓ ସମାଜ ମଙ୍ଗଳ ଅଧିକାରୀଙ୍କ ଫୋନ୍‌ ନମ୍ବର ଉଲ୍ଲେଖ ରହିଥିବା ନିଶ୍ଚିତ କରାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୩୦ ସୁଦ୍ଧା ଏ ବାବଦରେ ସରକାର ଜିଲ୍ଲା ପ୍ରଶାସନ ଠାରୁ ଏକ ପ୍ରାରମ୍ଭିକ ରିପୋର୍ଟ ତଲବ କରିଛନ୍ତି।
ଉତ୍ତର ପ୍ରଦେଶର ଦେଓରିଆ ଓ ବିହାରର ମୁଜାଫରପୁରରେ ଥିବା କେତେକ ଶିଶୁ ଯତ୍ନ ଅନୁଷ୍ଠାନ ଓ ମହିଳା ସେଲ୍ଟରରେ ପରିଚାଳକ ଓ ସହଯୋଗୀମାନେ ଅନ୍ତେବାସୀମାନଙ୍କୁ କାମରେ ଲଗାଉଥିଲେ। କେତେକ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆ ଯାଉଥିବା ବେଳେ କେତେକଙ୍କୁ ଶିଶୁ ଶ୍ରମିକ ଭାବରେ କାମରେ ଲଗା ଯାଉଥିଲା। ଘରୋଇ ସଂସ୍ଥା ସର୍ଭେ କରିବା ପରେ ଏହି ଜଘନ୍ୟ କଥା ପଦାକୁ ଆସିଥିଲା। କେତେକ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଜିଲ୍ଲାରେ ଏଭଳି ଚାଲିଥିବା ନେଇ ଆଶଙ୍କା ପ୍ରକାଶ ପାଇବା ସହ ସରକାର ଏବେ ତନାଘନା କରିଛନ୍ତି। ଏଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଓ ମହିଳା ସେଲ୍ଟର ହୋମ୍‌ର ଅନ୍ତେବାସୀଙ୍କୁ ନେଇ ପ୍ରଶାସନ ପାଖରେ କୌଣସି ହିସାବ ନାହିଁ। କୌଣସି ଅନୁଷ୍ଠାନରେ ଅଭିଯୋଗ ବାକ୍ସ ନାହିଁ କିମ୍ବା ଯେଉଁଠି ଅଛି ସେଠାରେ କେବେ ବି ଜିଲ୍ଲା ଶିଶୁ ଅଧିକାରୀ ବା ସମାଜ ମଙ୍ଗଳ ଅଧିକାରୀ ପରିଦର୍ଶନ କରି ଅଭିଯୋଗପତ୍ର ଯାଞ୍ଚ କରିନାହାନ୍ତି। ଶିଶୁ ହଜିଲେ ବା ପାଇଲେ ଅନୁଷ୍ଠାନମାନେ ଏକ ସ୍ୱତନ୍ତ୍ର ପୋର୍ଟାଲରେ ଅପ୍‌ଲୋଡ୍‌ କରିବା କଥା। ଶିଶୁ କମିଟି ବୈଠକ ଆଜି ପର୍ଯ୍ୟନ୍ତ ବସିନଥିବା ବେଳେ ସିସିଆଇ ମ୍ୟାନେଜ୍‌ମେଣ୍ଟ ବୈଠକ ମଧ୍ୟ କେବଳ ନାମକୁମାତ୍ର ହୋଇଛି। ସରକାରୀ ଚିଠି ପରେ ଏବେ ପ୍ରଶାସନର ନିଦ ହଜିଛି।

ସମ୍ବନ୍ଧିତ ଖବର