ଅନୁଗୁଳରେ ହେବ ବିଶ୍ବସ୍ତରୀୟ ପାଠାଗାର ଓ କଳାହୀରା ସଂଗ୍ରହାଳୟ       

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ସମ୍ଭାବନା ରହିଛି। ମାତ୍ର ପ୍ରଶାସନର ଆନ୍ତରିକତାର ଅଭାବ ଏଥିରେ ପ୍ରତିବନ୍ଧକ ସାଜିଛି। ‘ସମ୍ବାଦ’ରେ ଏ ନେଇ ବାରମ୍ବାର ଖବର ପ୍ରକାଶ କରାଯାଇ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନୂଆ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାର ବିକାଶ ନିମନ୍ତେ ଅନେକ ପଦକ୍ଷେପ‌ ନେଉଥିବା ବେଳେ ପର୍ଯ୍ୟଟନର ବିକାଶ ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଆଜି ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ଉନ୍ନୟନ ପରିଷଦ ବୈଠକରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନୁଗୁଳରେ ଏକ ବିଶ୍ବସ୍ତରୀୟ ପାଠାଗାର, ତାଳଚେରରେ କଳାହୀରା ସଂଗ୍ରହାଳୟ ଓ ରାଣୀପାର୍କର ଉନ୍ନତୀକରଣ କରାଯିବାକୁ ସ୍ଥିର ହୋଇଛି।

ଅନୁଗୁଳ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ଚିହ୍ନଟ କରି ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଆଜି ସର୍କିଟ ହାଉସ୍‌ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଉନ୍ନୟନ ପରିଷଦର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଜିଲ୍ଲା ପାଇଁ ଏକ ପର୍ଯ୍ୟଟନ ପୁସ୍ତିକା ପ୍ରସ୍ତୁତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଥିବା ସାମ୍ଭାବ୍ୟ ପର୍ଯ୍ୟଟନ ସ୍ଥାନଗୁଡ଼ିକର ଭିଡ଼ିଓ ଚିତ୍ର ପ୍ରସ୍ତୁତ କରି ଏକ ମାସ ମଧ୍ୟରେ ଏକ ବିସ୍ତୃତ ପର୍ଯ୍ୟଟନ ପୁସ୍ତିକା ପ୍ରସ୍ତୁତ କରାଯିବ। ଅନୁଗୁଳର ପ୍ରଚୀନ ବାଜି ରାଉତ ଛାତ୍ରାବାସ ଓ ତାଳଚେର ରାଜପ୍ରସାଦକୁ ଐତିହ୍ୟସ୍ଥଳିର ମାନ୍ୟତା ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯିବ। ଅନୁଗୁଳର ପ୍ରବେଶ ପଥରେ ବିଭାଗୀୟ ‘ଲୋଗୋ’ ଥିବା ଏକ ଅତ୍ୟାଧୁନିକ ଗେଟ୍ ଲଗାଯିବ। ଅନୁଗୁଳର ଇକୋ ପାର୍କର ସୌନ୍ଦର୍ଯ୍ୟକରଣ କରାଯିବା ସହ ଅନୁଗୁଳରେ ଏକ ଅନ୍ତର୍ଜାତୀୟ ସ୍ତରର ପାଠାଗାର ଓ ତାଳଚେରରେ କଳାହୀରା ସଂଗ୍ରହାଳୟ ପ୍ରତିଷ୍ଠା ହେବ। ତାଳଚେର ରାଣୀ ପାର୍କର ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ପାଣ୍ଠି ଏମ୍‌ସିଏଲ୍ ମଂଜୁର କରିଛି। ପ୍ରଥମେ ଏକ ପାର୍ଶ୍ବରୁ ଜବରଦଖଲ ହଟାଇବା ନିମନ୍ତେ ପ୍ରାଚୀର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ପରେଶ ଦେଓ, ଅନୁଗୁଳ ବିଧାୟକ ତଥା ବିଧାନସଭା ଉପବାଚସ୍ପତିଙ୍କ ପ୍ରତିନିଧି ମହେନ୍ଦ୍ର ବସ୍ତିଆ, ପାଳଲହଡ଼ା ବିଧାୟକଙ୍କ ପ୍ରତିନିଧି ଗଙ୍ଗାଧର ଜିତ୍, ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି କ୍ଷୀରୋଦ ବଘାର ଯୋଗ ଦେଇ ନିଜ ଅଂଚଳରେ ଥିବା ପର୍ଯ୍ୟଟନସ୍ଥଳୀ ଚିହ୍ନଟ ଓ ସୌନ୍ଦର୍ଯ୍ୟକରଣ ଉପରେ ଆଲୋକପାତ କରିଥିଲେ। ଗଂଜାମ ଭଳି ଅନୁଗୁଳ ଜିଲ୍ଲାର ଲୋକକଳା ଓ ଲୋକନୃତ୍ୟ ଦଳକୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ କାର୍ଯ୍ୟକ୍ରମ ପରିବେଷଣ କରାଇ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଭଳି ବିଭିନ୍ନ ଯୋଜନାରେ ସ୍ବାବଲମ୍ବୀ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକ କେଉଁଠି ରହିବେ ଓ ପର୍ଯ୍ୟଟନସ୍ଥଳୀ ଉପଭୋଗ କରୁଥିବାର ଦୃଶ୍ୟ, ପର୍ଯ୍ୟଟନସ୍ଥଳୀକୁ ଯିବାକୁ ରାସ୍ତା ଓ ଆନୁସଂଗିକ ସମସ୍ତ ତଥ୍ୟ ଏହି ପୁସ୍ତିକାରେ ସ୍ଥାନ ପାଇବ। ବୈଠକରେ ଜିଲ୍ଲାରେ ଦେବାଦେବୀ ପୀଠ, ସାତକୋଶିଆ ସଂରକ୍ଷିତ ଜଂଗଲର ପ୍ରାକୃତିକ ଦୃଶ୍ୟ ସଂପର୍କରେ ଆଲୋଚନା ହୋଇଥିଲା।

ଅନୁଗୁଳ ଜିଲ୍ଲାର ୧୩ଟି ସ୍ଥାନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ବେଳେ ୫ଟି ନୂତନ ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ରହିଛି। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିବା ବେଳେ ପର୍ଯ୍ୟଟକ ସୁରକ୍ଷା ଓ ପର୍ଯ୍ୟଟନସ୍ଥଳୀର ସଫାସୁତୁରା ସଂପର୍କରେ ଆଲୋଚନା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁ, ସାତକୋଶିଆ ଡିଏଫ୍‌ଓ ରାମାସ୍ବାମୀ ପି’ଙ୍କ ସହିତ ବିଭିନ୍ନ ବ୍ଲକରୁ ଆସଥିବା ସହକାରୀ ଯନ୍ତ୍ରୀ, ହୋଟେଲ ଓ ରେଷ୍ଟୁରେଣ୍ଟ ମାଲିକ ସଂଘର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ।

 

ସମ୍ବନ୍ଧିତ ଖବର