ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମରେ ଆଜି ହାତୀ ଆକ୍ରମଣରେ ଯୁବକର ମୃତ୍ୟୁ ଘଟଣା ନେଇ ଗ୍ରାମରେ ଉତେଜନା ଦେଖାଦେଇଛି। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ବିଳମ୍ବରେ ଆସିଥିବାରୁ ଉତ୍ୟକ୍ତ ଲୋକେ ବନ ବିଭାଗର ଦୁଇଟି ଗାଡିକୁ ଭଙ୍ଗାରୁଜା କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ତଳଗଡ଼ ଗ୍ରାମର ଦୁଷ୍ମନ୍ତ ବେହେରା(୩୧) ଆଜି ସକାଳେ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ତେବେ ସେ ଜଙ୍ଗଲ ରେ ଥିବା ଦନ୍ତା ହାତୀ ହାବୁଡ଼ରେ ପଡି ଯାଇଥିଲେ।
ହାତୀଟି ଯୁବକଙ୍କୁ ଦଳି ଦେବା ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏସମ୍ପର୍କରେ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବନ କର୍ମଚାରୀମାନେ ବିଳମ୍ବ ରେ ପହଞ୍ଚିବା କାରଣରୁ ଲୋକମାନେ ଉତ୍ୟକ୍ତ ହୋଇ ବନ ବିଭାଗର ଦୁଇଟି ବୋଲେରୋ ଗାଡିକୁ ଭଙ୍ଗାରୁଜା କରିଥିଲେ। ତେବେ ଭୟରେ ବନ୍ତଳା ବନାଞ୍ଚଳର ରେଞ୍ଜର ଓ କର୍ମଚାରୀମାନେ ଘଟଣାସ୍ଥଳରୁ କେଉଁ ଆଡେ ଚାଲି ଯାଇଛନ୍ତି।