ବାମୁର: କିଶୋରନଗର ଥାନା କ୍ଷେତି ଗ୍ରାମରେ ଖଜୁରି ତାଡିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ସୂଚନା ଅନୁଯାୟୀ, ସଂଜାମୁରା ପଞ୍ଚାୟତ ହତାନାଳୀ ଗାଁ’ର ଦାଶରଥି ବେହେରା (୪୨) ଧଡ଼ରପାଳ ପଞ୍ଚାୟତର କ୍ଷେତି ଗ୍ରାମରେ ଖଜୁରି ତାଡ଼ି ବେପାର କରୁଥିଲେ। କ୍ଷେତି ଗ୍ରାମରେ ମଞ୍ଚା କରି ରାତିରେ ସେଠାରେ ଶୋଉଥିଲେ। ଆଜି ତାଙ୍କ ମୃତଦେହ ମଞ୍ଚା ନିକଟରୁ ମିଳିଥିଲା। ଖଜୁରି ତାଡ଼ିକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସାନ ଭାଇ ସାରଙ୍ଗଧର ବେହେରା କିଶୋରନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦାଶରଥିଙ୍କ ମୃତଦେହ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରି ସଂଜମୁରାରୁ ଦୁଇଜଣ ଓ ହତାନାଳୀରୁ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଦାଶରଥିଙ୍କ ସ୍ତ୍ରୀ ଦେବୁଡ ଗ୍ରାମରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ଖଜୁରି ତାଡ଼ିକୁ ନେଇ ଯୁବକଙ୍କୁ ହତ୍ୟା, ୪ ଅଟକ
/sambad/media/post_attachments/wp-content/uploads/2018/12/tment-can-i-go-to-rehab-instead-of-jail-article-photo-hands-of-prisoner-5.jpg)