ପୂର୍ବ ଗୌରବ ବଜାୟ ରହିବା ସହ ଅଧିକା ପଦକ ମିଳିବ: ଅନୁପ ପାତ୍ର

ଜୟପୁର: ଟୋକିଓ ଅଲମ୍ପିକ୍ସ‌ରେ ଭାରତ ଗୋଟିଏ ପଦକ ପାଇ ଖାତା ଖୋଲି ସାରିଛି। ଆଗାମୀ ଦିନରେ ଭାରତର କ୍ରୀଡାବିତ୍ ମାନେ ପୂର୍ବ ଗୌରବକୁ ବଜାୟ ରଖିବା ସହ ଆହୁରି ଅଧିକା କିଛି ପଦକ ଆଣିବେ। ଦୂତୀ ଚାନ୍ଦ ବି ନିଶ୍ଚିତ ରୂପେ ନିଜ ଲକ୍ଷ୍ୟକୁ ସାଧିତ କରି ଓଡିଶା ମାଟି ଓ ଭାରତ ମା’ର ସମ୍ମାନକୁ ବିଶ୍ବସ୍ତରରେ ବଜାୟ ରଖିବ ବୋଲି କହିଛନ୍ତି ଓଡିଶା ଅଲମ୍ପିକ୍‌ ଆସୋସିଏସନର ଉପସଭାପତି ତଥା ବରିଷ୍ଠ କ୍ରୀଡାବିତ୍ ଅନୁପ ପାତ୍ର।

୧୯୭୪-୭୫ ମସିହାରେ ସେ ସ୍କୁଲ ପଢ଼ିବା ସମୟରୁ ହିଁ କ୍ରୀଡା ପ୍ରତି ଆକୃଷ୍ଣ ହୋଇଥିଲେ। ସେ ସୁବ୍ରତ ମୁଖାର୍ଜୀ ଫୁଟବଲ ପ୍ରତିଯୋଗିତା ସହ ବହୁ ରାଜ୍ୟ ଓ ଅନ୍ତଃରାଜ୍ୟ ଫୁଟବଲ, କବାଡ଼ି, ବାସ୍କେଟବଲ ଆଦି ପ୍ରତିଯୋଗିତାରେ ଭାଗ ନେଇ ନିଜର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରି ଆସିଥିବା କହିଛନ୍ତି। ସେ ସମୟରେ କ୍ରୀଡାବିତ୍ ମାନେ ନିଜକୁ ସବୁସ୍ତରରେ ଫିଟ୍ ରଖିବା, ଷ୍ଟାମିନା ବଢ଼ାଇବା, କିଭଳି ଜିତିବା, ଆଘାତପ୍ରାପ୍ତ ହେଲେ ବି ବିନା ଔଷଧ, ବିନା ପେନ୍ କିଲରରେ ଖେଳୁଥିଲେ। ସେ ନିଜେ ବି ସେଭଳି ଖେଳି ଆସିଥିଲେ।

ତେବେ ଆଜିକାର କ୍ରୀଡାବିତ୍ ମାନେ ଶାରୀରିକ ଶ୍ରମ କରି ନିଜକୁ ସଫଳ କରିବା ଲକ୍ଷ୍ୟ ରଖୁନାହାଁନ୍ତି। ଚଟାପଟ୍ ସଫଳତା ଦରକାର। ନଚେତ ମାନସିକ ଅବସାଦରେ ଚାଲି ଯାଉଛନ୍ତି। ତେବେ ତାହା ଠିକ୍ ନୁହେଁ। ସେ ଖେଳୁଥିବା ସମୟରେ ସେଭଳି ସୁଯୋଗ ଓ ସୁବିଧା ନଥିଲା। ତେବେ ନିଜ ଇଛାଶକ୍ତି ବଳରେ ସେ ମାଟି ପଡ଼ିଆରେ ଏବଂ ଖୋଲା ଆକାଶ ତଳେ ଖେଳୁଥିଲେ ବୋଲି କହିଛନ୍ତି। ଅନ୍ୟପକ୍ଷରେ କ୍ରୀଡାର ସାମଗ୍ରିକ ବିକାଶ, ତୃଣମୂଳ ତଥା ଗ୍ରାମାଂଚଳ ସ୍ତରରୁ ଲୁକ୍କାୟିତ ବଣମଲ୍ଲୀକୁ ଚିହ୍ନଟ କରି ପରିସ୍ପୁଟିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅତ୍ୟାଧୁନିକ ଷ୍ଟାଡିୟମ, ସିନ୍ଥେଟିକ ରନିଂ ଗ୍ରାଉଣ୍ଡ, ସ୍ପୋର୍ଟସ୍ ହଷ୍ଟେଲ, ସ୍ପୋର୍ଟସ୍ ଏକାଡେମୀ ଆଦି ଖୋଲୁଛନ୍ତି।

ରାଉରକେଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ଖୋଲାଯାଉଛି। ସେଭଳି ଜୟପୁରରେ ବି ନିର୍ମାଣାଧିନ ଥିବା ସ୍ପୋର୍ଟସ୍ କଂପ୍ଲେକ୍ସରେ ଜିମ୍, ସୁଇମିଂ ପୁଲ, ସି‌‌ନ୍ଥେଟିକ୍ ଟ୍ରାକ, ଗ୍ରାଉଣ୍ଡ, କୋଚ୍‌ ଆଦିର ବ୍ୟବସ୍ଥା ହେବ। ସେଭଳି ଏବେ କ୍ରୀଡାବିତ୍ ମାନେ ମନୋନିବେଶ କରି କ୍ରୀଡ଼ାକୁ ବି ପାଠ ଭଳି ୭ରୁ ୮ଘଣ୍ଟା ପରିଶ୍ରମ କରି ସଫଳତା ହାସଲ କଲେ ରାଜ୍ୟ ଓ କେନ୍ଦ୍ର ସରକାର ଆଖିବୁଜା ସହଯୋଗ, କର୍ମସଂସ୍ଥାନ ଆଦି ଦେଇ ଆସୁଛନ୍ତି। ତେବେ ଆମ ପିଲା ମାନଙ୍କ ମଧ୍ୟରେ କ୍ରୀଡା ପାଇଁ କିଛି କରିଯିବାର ଝୁଙ୍କ ରହିବାକୁ ପଡ଼ିବ। ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଆସନ୍ତା ୨୦୨୮ ଅଲମ୍ପିକ୍ସ, ଏସିଆନ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଏବେ ଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ସୁଯୋଗ ଭାବେ ନେଇ ଶାରିରୀକ ଓ ମାନସିକ ବ୍ୟାୟମ କରି ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ନିଜକୁ ପ୍ରତିପାଦିତ କରି ଅଂଚଳର ନାଁକୁ ଗୌରାବାନ୍ବିତ କରିବା ପାଇଁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର