ଅନୁପ ସାଏଙ୍କ ସୈତାନୀକାଣ୍ଡ ବାବଦରେ ଖୋଳତାଡ ପାଇଁ ଓଡ଼ିଶା ଆସୁଛି ଛତିଶଗଡ଼ ପୁଲିସ

ଭୁବନେଶ୍ବର/ଝାରସୁଗୁଡ଼ା : ମା-ଝିଅ ହତ୍ୟାକାଣ୍ଡ ଅଭିଯୁକ୍ତ ଅନୁପ ସାଏଙ୍କ ସୈତାନୀକାଣ୍ଡ ବାବଦରେ  ଅଧିକ ଖୋଳତାଡ ହେବ । ହତ୍ୟାକାଣ୍ଡର ଲିଙ୍କ ନେଇ ଓଡିଶାର ବିଭିନ୍ନ ସ୍ଥାନରେ ଜୋରଦାର ଛାନଭିନ ହେବ । ଏଥିପାଇଁ ଓଡ଼ିଶା ଆସି ତଦନ୍ତ ପାଇଁ ପର୍ଯ୍ୟାୟକ୍ରମେ ଛତିଶଗଡର ୩ଟି ଟିମ ଖୋଳତାଡ କରିବ ସହ ବିଭିନ୍ନ ସ୍ଥାନ ବୁଲି ଯାଞ୍ଚ କରିବା ନେଇ ରାୟଗଡ ଏସପି ସୂଚନା ଦେଇଛନ୍ତି ।

ତେବେ ଦୁଇଦିନ ତଳେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହୋଇଥିଲେ । ଏକ ହତ୍ୟାକାଣ୍ଡ ମାମଲାରେ ଛତିଶଗଡ ପୁଲିସ ଅନୁପଙ୍କୁ ଉଠାଇ ନେବା ପରେ କାଲି ହତ୍ୟାକାଣ୍ଡ ପଛରେ ଅନୁପଙ୍କ ହାତ ଥିବା ଗୁମର ଫିଟାଇଥିଲା । ତେବେ ହତ୍ୟାକାଣ୍ଡ ନେଇ ରାୟଗଡ ପୁଲିସ ଯେତେବେଳେ ସାମ୍ବାଦିକ ସମ୍ମିଳନୀ କରି ଅପରାଧର କାହାଣୀ ସାମ୍ନାକୁ ଆଣିଲା ସେତେବେଳେ ସମସ୍ତଙ୍କ ହୋସ୍ ଉଡି ଯାଇଥିଲା । ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଜଣେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି କେତେ ନୃଶଂସ ହୋଇପାରେ ତାହା ସାମ୍ନାକୁ ଆସିଥିଲା ।

ଛତିଶଗଡ଼ ପୁଲିସର କହିବା ଅନୁସାରେ, ଅନୁପ ସାଏ ନିଜର ଦୋଷ ସ୍ୱୀକାର କରିବା ସହ ଅପରାଧର ପ୍ରତିଟି ତଥ୍ୟ ଦେଇଛନ୍ତି । ସେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅକୁ ଲୁହା ରଡରେ ନିର୍ମମ ଭାବେ ହତ୍ୟା କରିବା ପରେ ରାସ୍ତା ଉପରେ ପକାଇ ଦେଇଥିଲେ । ଏବଂ ତାଙ୍କ ନିର୍ଦ୍ଦେଶରେ ବୋଲେରୋ ଡ୍ରାଇଭର ବର୍ମନ ଟପ୍ପୋ ମରଶରୀର ଉପରେ ବାରମ୍ବାର ଗାଡି ଚଢାଇ ଥିଲା । ଦୁଇ ମୃତଙ୍କ ପରିଚୟ ଲୁଚାଇବା ପାଇଁ ଏଭଳି କରିଥିଲା ବର୍ମନ ।

ସେପଟେ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କୁ ଗିରଫ କରିଛି ଛତିଶଗଡ ପୁଲିସ । ଗତକାଲି ଡ୍ରାଇଭର ଘର ଉପରେ ଅଧ ରାତିରେ ଚଢାଉ କରି ବର୍ମନ ଟପୋକୁ ଗିରଫ କରିଛି ଛତିଶଗଡ ପୁଲିସ ।

ରାୟଗଡ ଚକ୍ରଧରନଗର ଥାନାର ଏକ ୬ ଜଣିଆ ଟିମ୍ ବ୍ରଜରାଜନଗର ଆସି ବର୍ମନ ଟପୋର ବାଘରାଚକା ଗାଁରୁ ତାକୁ ଉଠେଇ ନେଇଛି । କଳ୍ପନା ଓ ପ୍ରଭାତୀଙ୍କ ହତ୍ୟାକାଣ୍ଡର ପୁରା ପ୍ଲଟ ଜାଣିଛି ଅନୁପ ସାଏଙ୍କ ଡ୍ରାଇଭର । ଆଉ ଏସବୁ ଘଟଣା ପରେ ଆହୁରି କ’ଣ ରହିଛି ରହସ୍ୟ ତାର ଅଧିକ ତଦନ୍ତ ପାଇଁ  ଛତିଶଗଡ ପୁଲିସ ଟିମ୍ ଓଡିଶା ଆସୁଛି।

ସମ୍ବନ୍ଧିତ ଖବର