ସୁନ୍ଦରଗଡ଼: ରାଜଗାଙ୍ଗପୁରର ଅନୁପମା ପ୍ରଜାପତି ପରିବାର ଲୋକଙ୍କ ସହ ଘୋଘର ନିକଟ ଇବନଦୀ କନାକୁଣ୍ଡକୁ ବଣଭୋଜି କରିବାକୁ ଯାଇଥିଲେ। ସେ ସେଲଫି ନେବା ବେଳେ ଇବନଦୀରେ ଭାସି ଯାଇଥିଲେ। ତେବେ ସେ କେମିତି ଇବନଦୀରେ ଭାସି ଯାଇଥିଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ସାମ୍ନାକୁ ଆସିଛି ସେହି ଅଘଟଣ ବେଳର ଦୃଶ୍ୟ…
ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଅନୁପମା ଇବନଦୀ କନାକୁଣ୍ଡ ପାର୍ଶ୍ବରେ ଛିଡା ହୋଇ ସେଲଫି ନେଉଛନ୍ତି। ଏତିକି ବେଳେ ଧଳାରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଅନୁପମାଙ୍କ ପଛପଟରୁ ଧୀରେଧୀରେ ଆଗକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ସେଠାରେ ଖସି ପଡ଼ୁଛନ୍ତି। ଆଉ ଏଥିରୁ ରକ୍ଷା ପାଇବା ପାଇଁ ଉକ୍ତ ବ୍ୟକ୍ତି ଜଣକ ଅନୁପମାଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଅନୁପମା କନାକୁଣ୍ଡ ପାଣିସ୍ରୋତରେ ଭାସି ଯାଇଥିଲେ। ଆଉ କେହି କିଛି ବୁଝିବା ପୂର୍ବରୁ ସେ ପାଣିରେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ଅନେକ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିଥିଲା।
ସୂଚନାଯୋଗ୍ୟ, ଦୁଇ ମାସ ତଳେ ଅନୁପମାଙ୍କ ନିର୍ବନ୍ଧ ହୋଇଥିଲା। ଆଉ ଫେବ୍ରୁଆରି ୧୬ରେ ତାଙ୍କର ବିବାହ ହେବାର ଥିଲା। ଅନୁପମାଙ୍କ ଏଭଳି ମୃତ୍ୟୁ ପରିବାର ଓ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳାଇ ଦେଇଥିଲା।