ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଜୟପୁର ଝିଅ ଅନ୍ବିତା ମିଶ୍ର

୪୦‌ ସେକେଣ୍ଡରେ କହୁଛନ୍ତି ୪୮ଟି ଦେଶ ଓ ରାଜଧାନୀର ନାମ

ଜୟପୁର: ବୟସ ୫ ବର୍ଷ ୬ ମାସ। ସ୍ପଷ୍ଟ କଥା କହିବା ଆରମ୍ଭ କରିଛନ୍ତି। ଏତିକି ଭିତରେ ଅର୍ନଗଳ ଭାବେ ଦେଶ ଓ ତାହାର ରାଜଧାନୀ ନାମ କହି ଚାଲୁଛନ୍ତି। ୪୦ ସେକେଣ୍ଡ ମଧ୍ୟରେ ଏସିଆର ୪୮ଟି ଦେଶ ଓ ରାଜଧାନୀର ନାମ ଓ ୩୪ ସେକେଣ୍ଡରେ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନାମ ଓ ରାଜଧାନୀ ନାମ କହି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ ପାଇଛନ୍ତି ଜୟପୁର ଝିଅ ଅନ୍ବିତା ମିଶ୍ର। ତାଙ୍କର ଏହି କୃତିତ୍ବ ହାସଲ ପରେ ଶୁଭେଚ୍ଛାର ସୁଅ ଛୁଟିଛି।

କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଅନ୍ତର୍ଗତ ରାଜୁ ସାହିରେ ଅନ୍ବିତାଙ୍କ ଘର। ଶଙ୍କର ମିଶ୍ର ଓ ମଧୁସ୍ମିତା ପାଣିଗ୍ରାହୀଙ୍କ ଦ୍ବିତୀୟ କନ୍ୟା ହେଉଛନ୍ତି ଅନ୍ବିତା। ଶଙ୍କର ବ୍ୟବସାୟ କରୁଥିବା ବ‌େଳେ ମଧୁସ୍ମିତା ଜୟପୁର ବ୍ଲକ ଅନ୍ତର୍ଗତ ପଣସପୁଟ ବାଗ୍ରା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ। ମଧୁସ୍ମିତାଙ୍କ ବଡ ଝିଅ ଅଙ୍କିତା ମିଶ୍ର ନବମ ଶ୍ରେଣୀରେ ପଢ଼ୁଥିବା ବ‌େଳେ ଅନ୍ବିତା ପ୍ରକାଶ ବିଦ୍ୟାଳୟରେ ୟୁକେଜିରେ ଅଧ୍ୟୟନ କରୁଛନ୍ତି। ମଧୁସ୍ମିତାଙ୍କ କହିବାନୁଯାୟୀ, ଛୋଟ ବେଳରୁ ହିଁ ଅନ୍ବିତା ବହୁତ କିଛି ମନେ ରଖି ପାରୁଛନ୍ତି। ବହୁତ ପୁରୁଣା କଥାକୁ ମନେ ପକାଇ ପରବର୍ତ୍ତୀ ସମୟରେ କହିଥାନ୍ତି। ଘରେ ପୂଜାର୍ଚ୍ଚନା କରୁଥିବା ବ‌େଳେ ଅନ୍ବିତା ଶୁଣି ମନ୍ତ୍ର ଗୁଡିକ ମଧ୍ୟ ଉଚ୍ଚାରଣ କରୁଛନ୍ତି। ଏନେଇ ମଧୁସ୍ମିତା ଅନ୍ବିତାଙ୍କୁ ଦେଶ ଓ ରାଜଧାନୀ ନାମ ଶିକ୍ଷାଉଥିଲେ।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଭିଡିଓ ପଠାଇବା ପାଇଁ ଚେଷ୍ଟା କରିଥିଲେ। ପୂର୍ବରୁ ୫୨ ସେକେଣ୍ଡରେ ଏହି ଦେଶ ଓ ରାଜଧାନୀର ନାମ କହିବା ପାଇଁ ମେସେଜ୍ ଆସିଥିଲା ସେ ୪୯ ସେକେଣ୍ଡରେ ୪୮ଟି ଦେଶ ଓ ରାଜଧାନୀର ନାମ କହି ପଠାଇଥିଲେ। ପୁଣି ମେସେଜ୍ ଆସିଥିଲା ୪୨ ସେକେଣ୍ଡରେ ଏହି ଦେଶ ଓ ରାଜଧାନୀର ନାମ କହୁଥିବା ଭିଡିଓ ଆସିସାରିଛି। ଏହାଠୁ କମ୍ ସମୟର ଭିଡିଓ ଦେବାକୁ କହିଥିଲେ। ଏହାପରେ ୪୦ ସେକେଣ୍ଡରେ ୪୮ଟି ଦେଶ ଓ ରାଜଧାନୀର ନାମ କହି ଭିଡିଓକୁ ଜୁଲାଇ ମାସରେ ପଠାଇଥିଲେ। ଗତକାଲି ଇଣ୍ଡିଆ ବୁକ୍ ରେକର୍ଡର ପ୍ରମାଣପତ୍ର, ମେଡାଲ୍, ପୁସ୍ତିକା ଓ ଅନ୍ୟାନ୍ୟ ସାମଗ୍ରୀ ଆସିଥିବା ମଧୁସ୍ମିତା କହିଛନ୍ତି।

ସମ୍ବନ୍ଧିତ ଖବର