କରୋନାର କରୁଣ ଚିତ୍ର: ସଂକ୍ରମିତଙ୍କ ଶବ ସତ୍କାର ପାଇଁ ପ୍ରଶାସନକୁ ମିଳୁନି ଶ୍ମଶାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ୱିତୀୟ ଲହରର ଦ୍ରୁତ ବୃଦ୍ଧି ପ୍ରଶାସନର ଅପାରଗତା ସହ ଜନସାଧାରଣଙ୍କ ମଧ୍ୟରେ ବଢ଼ୁଥିବା ଅମାନବିକତାକୁ ପଦାରେ ପକାଇଦେଇଛି । ଖୋର୍ଦ୍ଧା ଗ୍ରାମାଂଚଳରେ ସଂକ୍ରମଣରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ପାଇଁ ଖୋର୍ଦ୍ଧା ସହରରେ କୌଣସି ଶ୍ମଶାନ କିମ୍ବା ସରକାରୀ ଜାଗା ମିଳୁନାହିଁ ।

ଖୋର୍ଦ୍ଧା ସହର ଓ ଆଖପାଖ ଅଂଚଳ ଜବରଦଖଲକାରୀଙ୍କ କବ୍ଜାରେ ରହିଛି । ଏନେଇ ସମ୍ବାଦ ପକ୍ଷରୁ ନିୟମିତ ସଂଖ୍ୟାଧିକ ଖବର ପ୍ରକାଶ ପାଇଛି । ଗୋଚର ଜମି, ଶ୍ମଶାନ ଜମି ଜବରଦଖଲ କରାଯାଉଥିବା ଓ ଏନେଇ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଏହା ଆଗାମୀ ଦିନରେ ଏକ ବଡ଼ ସମସ୍ୟା ଭାବେ ଠିଆ ହେବ ବୋଲି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।

ବର୍ତମାନ ଏହା ସତ ପ୍ରମାଣିତ ହୋଇଛି । ଖୋର୍ଦ୍ଧା ସହରରେ ବର୍ଦ୍ଧିତ ସଂକ୍ରମିତ ଓ ସଂକ୍ରମଣରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ଦାହ ସଂସ୍କାର ପାଇଁ ବର୍ତମାନ ପ୍ରଶାସନକୁ ଶ୍ମଶାନ ମିଳୁନାହିଁ । ଗତ ୧୦ ଦିନ ଧରି ପ୍ରଶାସନ ପକ୍ଷରୁ ଏନେଇ ଜାଗା ସ୍ଥିର କରିବାକୁ ନେଇ ଅଣନିଶ୍ୱାସୀ ହେବାକୁ ପଡ଼ିଛି । ମୃତ ସଂକ୍ରମିତଙ୍କୁ କେଉଁଠାରେ ଦାହ କରାଯିବ ସେନେଇ ଏଯାଏଁ ସଠିକ ଓ ନିର୍ବିବାଦୀୟ ସ୍ଥାନ ନିରୂପଣ ହୋଇପାରିନାହିଁ ।

ଦୁଇ ଦିନ ପୂର୍ବେ ଖୋର୍ଦ୍ଧା ଉପକଣ୍ଠ ଓ ଶିଳ୍ପାଞ୍ଚଳ ମଧ୍ୟରେ ଥିବା ଜେମାଦେଈ ଶ୍ମଶାନରେ ସଂକ୍ରମିତଙ୍କ ଦାହ ସଂସ୍କାର କରିବାକୁ ନେଇ ପ୍ରଶାସନ ହରଡ଼ଘଣାରେ ପଡ଼ିଥିଲା । ଏହାପୂର୍ବରୁ ଦୀର୍ଘ ଦଶନ୍ଧୀ ଧରି ସ୍ଥାନୀୟ ଲୋକଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଜେମାଦେଈ ଶ୍ମଶାନର ଅଦେ୍ର୍ଧକ ଅଂଶ ଇଡ୍କୋ ଅଧିକାର କରି ଶିଳ୍ପ ପ୍ରତିଷ୍ଠା ପାଇଁ ବିନିଯୋଗ କରିବାକୁ ଚେଷ୍ଟା କରିଥିଲା । ଲୋକଙ୍କ ପ୍ରବଳ ବିରୋଧ ପରେ ଶ୍ମଶାନ ପାଇଁ କିଛି ଅଂଶ ଛାଡ଼ି ବଳକା ଅଂଶ ଇଡ୍କୋ ନେଇଯାଇଥିଲା ।

ଏହି ଘଟଣାରେ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ଅସନ୍ତୋଷ ରହିଥିଲା । ୨ ଦିନ ପୂର୍ବେ ଯେତେବେଳେ ପ୍ରଶାସନ ଏହାକୁ ସଂକ୍ରମିତଙ୍କ ଦାହସଂସ୍କାର ପାଇଁ ବ୍ୟବହାର କରିବାକୁ ଚେଷ୍ଟା କଲା ଲୋକଙ୍କ ବିରୋଧର ସମ୍ମୁଖିନ ହୋଇଥିଲା । ଶେଷରେ ଅନେକ ଅନୁରୋଧ ପରେ ଗୋଟିଏ ମାତ୍ର ମୃତଦେହକୁ ପୋଡ଼ିବାକୁ ଗାଁ ଲୋକ ଅନୁମତି ଦେଇଥିଲେ ।

ଅପରପକ୍ଷରେ ଖୋର୍ଦ୍ଧା ସହରର ଟିଏଲ୍ସି ପଡ଼ିଆ ନିକଟ ଶ୍ମଶାନ ରାସ୍ତାର ପ୍ରଶସ୍ତୀକରଣ ପାଇଁ ଅଧିଗ୍ରହଣ ହୋଇଥିଲା । ହସ୍ପିଟାଲ୍ ପାଶ୍ୱର୍ସ୍ଥ ଶ୍ମଶାନ ବର୍ତମାନ ନିର୍ମାଣାଧୀନ । କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଶ୍ମଶାନ ଏହା ଅପ୍ରିଲ୍ ପହିଲାରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିଲା, କିନ୍ତୁ ତାହା ଶେଷ ହୋଇପାରୁନଥିବାରୁ । ସହରର ଲୋକମାନେ ଅନ୍ୟ ପାଶ୍ୱର୍ରେ ଦାହ ସଂସ୍କାର କରୁଛନ୍ତି ଓ ଏଠାରେ ସଂକ୍ରମିତଙ୍କ ଦାହ ପାଇଁ ବିରୋଧ ରହିଛି । ଅନୁରୂପ ଭାବେ ପ୍ରାଣନାଥ କଲେଜ ସମ୍ମୁଖ ମୁକୁନ୍ଦପ୍ରସାଦ ଶ୍ମଶାନ ମଧ୍ୟ ଜାତୀୟ ରାଜପଥ ପାଇଁ କିଛି ଅଂଶ ଅଧିଗ୍ରହଣ ହୋଇଥିବା ବେଳେ ଏହାର ଅଦେ୍ର୍ଧକ ଅଂଶ ଇଡ୍କୋ ଜବରଦଖଲ କରିନେଇଛି । ଜନଗହଳି ଓ ରାସ୍ତାକଡ଼ରେ ଥିବାରୁ ଏଠାରେ ସଂକ୍ରମିତଙ୍କ ଦାହ ସଂସ୍କାର ହୋଇପାରୁନାହିଁ ।

ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ବିକଳ୍ପ ସ୍ଥାନ ଚିହ୍ନଟ ପାଇଁ ଚେଷ୍ଟା କରାଯାଉଛି, କିନ୍ତୁ ଅଧିକାଂଶ ସରକାରୀ ଜାଗା ଓ ପୂର୍ବେ ବ୍ୟବହୃତ ହେଉଥିବା ଶ୍ମଶାନ ଜାଗା ଜବରଦଖଲକାରୀଙ୍କ କବ୍ଜାରେ ରହିଥିବାରୁ ଏହାକୁ ତୁରନ୍ତ ବ୍ୟବହାର କରାଯାଇପାରୁନାହିଁ । ଏନେଇ ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥି କହିଛନ୍ତି, ଯେ ବିକଳ୍ପ ସ୍ଥାନ ଖୋଜିବା ଜାରି ରହିଛି । ଦୁଇ-ତିନିଟି ସ୍ଥାନ ଚିହ୍ନଟ ହୋଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ଯାଂଚ ଓ ଅନୁମୋଦନ ପରେ ସେଗୁଡ଼ିକୁ ବ୍ୟବହାର କରାଯିବ ।

ସମ୍ବନ୍ଧିତ ଖବର