ଜଗତସିଂହପୁର ଜିଲ୍ଲାରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା, ୨୧ଟି ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟରେ ନିଯୁକ୍ତି ବନ୍ଦ
ଜଗତସିଂହପୁର ଟାଉନ୍: ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବାକୁ ରାଜ୍ୟ ସରକାର ସ୍ମାର୍ଟସ୍କୁଲ୍ ନିର୍ମାଣ କରୁଛନ୍ତି। ଘରୋଇ ବିଦ୍ୟାଳୟ ଭଳି ଦୃଢ଼ ଭିତ୍ତିଭୂମିରେ ପିଲାମାନେ ଗୁଣାତ୍ମକ ଶିକ୍ଷା ଲାଭ କରିବେ। ଏପରି ଲକ୍ଷ୍ୟ ନେଇ ଜିଲ୍ଲାର ନିର୍ଦ୍ଦିଷ୍ଟ କେତେକ ବିଦ୍ୟାଳୟରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପ୍ରଶଂସା ସାଉଁଟୁଛନ୍ତି। ଅନ୍ୟପଟେ ଆଉ କିଛି ବିଦ୍ୟାଳୟରେ ନା ଅଛି ଆବଶ୍ୟକ ଭିତ୍ତିଭୂମି ନା ଅଛନ୍ତି ଆବଶ୍ୟକ ଶିକ୍ଷକ। ଏଭଳି ସ୍ଥିତିରୁ ଶିକ୍ଷାର ବିକାଶ ଦିଗରେ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛି ଅଭିଭାବକମହଲ। ତଥ୍ୟ ଅନୁସାରେ ଓଡ଼ିଶା ରାଜ୍ୟରେ ଥିବା ୬୧୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଜଗତସିଂହପୁର ଜିଲ୍ଲାରେ ଅଛି ୨୧ଟି ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟ। କିନ୍ତୁ ଆବଶ୍ୟକ ଭିତ୍ତିଭୂମି ନାହିଁ। କେବଳ ଶିକ୍ଷକମାନଙ୍କ ଦରମାକୁ ଛାଡ଼ି ଅନ୍ୟ କାର୍ଯ୍ୟ ପାଇଁ ସରକାରୀ ଅନୁଦାନ ମିଳେନାହିଁ। ନିୟମ ଅନୁସାରେ ଏଠାରେ କାର୍ଯ୍ୟରତ ଶିକ୍ଷକଙ୍କର ବଦଳି ନାହିଁ। ଅର୍ଥାତ ଯେଉଁଠି ପୋଷ୍ଟିଙ୍ଗ୍ ସେଇଠି ଅବସର। ଏଣୁ ଜଣେ ପରେ ଜଣେ ଶିକ୍ଷକ ଅବସର ନେଉଥିବା ବେଳେ ସରକାର ନୂତନ ନିଯୁକ୍ତି ପ୍ରତି ଧ୍ୟାନ ନାହିଁ। କେଉଁ ବିଦ୍ୟାଳୟରେ ଇଂରାଜି ଶିକ୍ଷକ ନାହାନ୍ତି ତ କେଉଁଠି ବିଜ୍ଞାନ, ଗଣିତ ଶିକ୍ଷକ ନାହାନ୍ତି। ଏଭଳି ପରିସ୍ଥିତି ଦେଖି ଘରୋଇ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଚାଲି ଯାଉଛନ୍ତି। ଫଳରେ ପାଠପଢ଼ା କିପରି ହେବ ତାହା ଏବେ ଚିନ୍ତାର ବିଷୟ।
ଟିଜିଟି(ଆର୍ଟସ)ପାଇଁ ପ୍ରତି ବିଦ୍ୟାଳୟରେ ୩ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ଅନ୍ୟ ପିସିଏମ୍, ସିବିଜେଡ୍, ହିନ୍ଦୀ, ସଂସ୍କୃତ, ପିଇଟିରେ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି ପାଇଁ ନିୟମ ରହିଛି। ସୂଚନା ମୁତାବକ ଟିଜିଟି(ଆର୍ଟସ) ଭିତରେ ଇଂରାଜୀ, ଏମ୍ଆଇଏଲ୍, ଭୂଗୋଳ, ଇତିହାସ ବିଷୟ ପଢ଼ାଇବା ପାଇଁ ଗୋଟିଏ ବିଦ୍ୟାଳୟ ପ୍ରତି ତିନି ଜଣ ଶିକ୍ଷକ ନିଯୁକ୍ତି କରାଯାଇଥାଏ। ତେବେ ସୂଚନା ଅନୁସାରେ ଜଗତସିଂହପୁର ୨୧ଟି ବିଦ୍ୟାଳୟରେ (୨୦୨୧ ଜାନୁଆରୀ ସୁଦ୍ଧା) ୩୦ଟି ପଦବି ଖାଲି ପଡ଼ିଛି। ଅର୍ଥାତ ୬୩ଟି ପଦବିରୁ ଅଛନ୍ତି ମାତ୍ର ୩୩ ଜଣ। ସେହିପରି ୨୧ଟି ବିଦ୍ୟାଳୟରେ ୩ ଜଣ ପିସିଏମ୍ ଶିକ୍ଷକ, ସିବିଜେଡ୍ରେ ୫ ଜଣ ଶିକ୍ଷକ, ହିନ୍ଦୀରେ ୫ ଜଣ, ସଂସ୍କୃତରେ ୧୪ ଜଣ ଶିକ୍ଷକ ଏବଂ ୬ ଜଣ ଖେଳ ଶିକ୍ଷକଙ୍କ ପଦବି ଖାଲି ପଡ଼ିଛି। ପ୍ରତି ବିଦ୍ୟାଳୟରେ ଜଣେ କିରାଣି ଓ ତିନି ଜଣ ଲେଖାଏଁ ଚତୁର୍ଥ ଶ୍ରେଣୀ କର୍ମଚାରୀ ସ୍ଥାନରେ ୨ କିରାଣି ,୯ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦବି ଖାଲି ପଡ଼ିଛି।
ଉଦାହରଣ ସ୍ବରୂପ ବାଲିକୁଦା ବ୍ଲକ୍ର ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଉତ୍ତରେଶ୍ବର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିବା ବାମଦେବ ପତି ୨୦୧୯ ମସିହାରୁ ଅବସର ନେଲେଣି। ୨୦୧୮ରୁ ଇଂରାଜି ଶିକ୍ଷକ ପ୍ରମୋଦ ମହାନ୍ତି ଅବସର ନେଇଛନ୍ତି। ତାଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ହୋଇ ପାରୁନାହିଁ। ବର୍ତମାନର ପ୍ରଧାନଶିକ୍ଷକ ଥିବା ଗଣିତ ଶିକ୍ଷକ ନରେନ୍ଦ୍ର ପରିଡ଼ା ଆସନ୍ତା ମାସରେ ଅବସର ନେବେ। ଏହାପରେ ଟିଜିଟିର କେବଳ ଜଣେ ଶିକ୍ଷକ ଅକ୍ଷୟ ମହାନ୍ତି ୪ଟି ବିଷୟ ପଢ଼ାଇବେ କିପରି? ଏଣେ ସଂସ୍କୃତ ଶିକ୍ଷକ ଅଜୟ କୁମାର ଶତପଥୀଙ୍କୁ ଡେପୁଟେସନରେ ତିନି ଦିନ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ପଡ଼ୁଛି। ହିନ୍ଦୀ ଟୁନରମା ଦାସ ଏବଂ ପିଇଟି ପ୍ରମୋଦ ମହାନ୍ତି ମଧ୍ୟ ପାଠ ପଢ଼ାଉଛନ୍ତି। ବିଜ୍ଞାନଗାର, ଖେଳ ପଡ଼ିଆ, ଲାଇବ୍ରେରି କିମ୍ବା ଭଲ ଟଏଲେଟ୍ ଟିଏ ନାହିଁ। କମ୍ପ୍ୟୁଟର ଶ୍ରେଣୀକକ୍ଷ କଥା ଛାଡ଼, ଭଙ୍ଗା ଘରେ ପିଲାମାନେ ବସି ପାଠ ପଡ଼ୁଛନ୍ତି। ଛାତରୁ ସିମେଣ୍ଟ୍ ଅତଡ଼ା ଖସୁଛି। ଭଙ୍ଗା ଡେସ୍କ ବେଞ୍ଚ୍ରେ କେମିତି ପାଠ ପଢ଼ୁଛନ୍ତି। କେବଳ ଉତ୍ତରେଶ୍ବର ଉଚ୍ଚ ବିଦ୍ୟାଳୟର ନୁହେଁ ବରଂ ଅଧିକାଂଶ ବିଦ୍ୟାଳୟର ଅସଲ ଚିତ୍ର ସମାନ। ନିକଟରେ ମନ୍ତ୍ରୀ ସମୀରରଂଜନ ଦାଶ ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏନେଇ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ତାଙ୍କ ଉତ୍ତର ଥିଲା ସାରା ଓଡ଼ିଶାରେ ଥିବା ୬୧୦ ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବିରେ ନିଯୁକ୍ତି ପାଇଁ ସରକାର ଚିନ୍ତା କରୁଛନ୍ତି। କିନ୍ତୁ କେବେ ଏହି ଚିନ୍ତାର ଅନ୍ତ ହେବ ଓ ଭିତ୍ତିଭୂମି ସଜଡ଼ା ହେବ ତାକୁ ହିଁ ସମସ୍ତଙ୍କ ଅପେକ୍ଷା।