ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଅନୁନ୍ନତ ଏବଂ ଦୁର୍ଗମ ପାହାଡିଆ ଅଞ୍ଚଳ ଭାବେ ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ବୁଝାଏ। ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ରହିଥିବା ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ପଞ୍ଚାୟତର ପ୍ରାୟ ୩୨ଟି ଗ୍ରାମରେ ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ନିଜ ପାଇଁ କିଛି ସାଇତି ରଖିବା ସହ ବଜାରରେ ସେଗୁଡିକ ବିକ୍ରି କରି ପରିବାରର ପ୍ରତିପୋଷଣ କରନ୍ତି। ବଣ୍ଡାଘାଟିରେ କାମଧନ୍ଦା ନଥିବାରୁ ବହୁ ଯୁବକଯୁବତୀ ଦାଦନ ଖଟିବାକୁ ପଡୋଶୀ ଆନ୍ଧ୍ର ଏବଂ ଛତିଶଗଡକୁ ଚାଲିଯାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବଣ୍ଡାଘାଟିର ଅର୍ଜୁନ ଶିଶା ନାମକ ବ୍ୟକ୍ତି ନିଜ ଉଦ୍ୟମରେ ନିଜ ଜମିରେ କଫି ଚାଷ କରି ବେଶ ସଫଳତା ପାଇଛନ୍ତି। ଗତ ୨୦ ବର୍ଷ ତଳେ ସେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ଅନକାଡେଲି ସାପ୍ତାହିକ ହାଟକୁ ଯାଇଥିଲେ। ସେଠାରେ କଫି ବିକ୍ରି ହେଉଥିବା ଦେଖିବା ପରେ ଏହି ଫଳ ବିଷୟରେ ଜାଣିବାକୁ ଚାହିଁଥିଲେ। ସେହି ଅଞ୍ଚଳର ଲୋକେ ଏହା କଫି ବୋଲି କହିବା ସହ ନିଜ ଜମିରେ ଏହା ଚାଷ କଲେ ବେଶ ଦୁଇପଇସା ରୋଜଗାର କରିପାରିବେ ବୋଲି ପରାମର୍ଶ ଦେଇଥିଲେ। ଅର୍ଜନ ଏହା ଶୁଣିବା ପରେ ମନରେ ଏହି କଫି ଚାଷ କରିବା ନେଇ ନିଷ୍ପତ୍ତି ନେଇଥିଲେ। ତେବେ ଏହା କେଉଁଠାରୁ ଆଣିବେ ଏବଂ କିପରି ଗଛ ଲଗାଇବେ ସେ ସମ୍ପର୍କରେ କିପରି ଜାଣିବେ ବୋଲି ଅନକାଡେଲି ଅଞ୍ଚଳର ଲୋକଙ୍କୁ ପଚାରି ବୁଝିଥିଲେ।
ତେବେ ଏଥିପାଇଁ କୌଣସି ଚିନ୍ତା କରିବା ଦରକାର ନାହିଁ ବୋଲି କହିବା ପରେ ଆନ୍ଧ୍ର ଅଞ୍ଚଳର ଲୋକେ କଫି ବିହନ ଆଣି ଦେବା ସହ ଗଛ ଲଗାଇବାର ପ୍ରକ୍ରିୟା ମଧ୍ୟ ବୁଝାଇ ଦେବେ ବୋଲି କହିଥିଲେ। ପରେ ଅର୍ଜୁନ ନିଜ ବାଡିରେ କଫି ଗଛ ଲଗାଇ ବେଶ ଦୁଇପଇସା ରୋଜଗାର କରୁଛନ୍ତି। ପ୍ରଥମେ ବର୍ଷକୁ ୧୦ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ। ଏବେ ଏହା ବଢି ୨୦ ହଜାରରୁ ୩୦ ହଜାରରେ ପହଞ୍ଚିଛି। ତେବେ ଏହି କଫିର ଦର କେତେ କେମିତି ବିକ୍ରି କରାଯାଏ ସେ ସମ୍ପର୍କରେ ଜାଣିନଥିବାରେ ସେ କ୍ଷତି ସହୁଥିବା କହିଛନ୍ତି। ସରକାର ଯଦି ଏହାର ଦାମ ନିର୍ଦ୍ଧାରିତ କରିଥାନ୍ତେ ଏବଂ ଆମକୁ ସହଯୋଗ କରିଥାନ୍ତେ ତେବେ ମୁଁ ଆଗକୁ ଆହୁରି ଅଧିକା କଫି ଚାଷ କରି ଜିଲ୍ଲାର ଲୋକଙ୍କୁ କଫିର ମଜା ନେବା ପାଇଁ ସହଯୋଗ କରିପାରିନ୍ତି ବୋଲି ଅର୍ଜୁନ କହନ୍ତି।
ତେବେ ଅର୍ଜୁନ ବଣ୍ଡାଘାଟିରେ କଫି ଚାଷ କରି ସଫଳ ହୋଇଥିବା କଥା ପ୍ରଶାସନ ନିକଟରେ ଖବର ନାହିଁ। ସରକାର ଏବଂ ପ୍ରଶାସନ ଯଦି ବଣ୍ଡାଘାଟିରେ ଅନ୍ୟମାନଙ୍କୁ ମଧ୍ୟ କଫି ଚାଷ କରିବା ପାଇଁ ପ୍ରତ୍ସାହନ ଯୋଗାଇ ଦିଅନ୍ତି ତେବେ କୋରାପୁଟ ଭଳି ମାଲକାନଗିରି ଜିଲ୍ଲାରେ ମଧ୍ୟ କଫି ଚାଷ ଜୋରସୋରରେ ହୋଇପାରନ୍ତା ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଇପାରନ୍ତା ବୋଲି କୁହାଯାଇଛି। ମାଲକାନଗିର ମାଟି କଫି ଚାଷ ପାଇଁ ଅନୁକୂଳ ବୋଲି ଜାଣିବା ପରେ ଏହି ଅଞ୍ଚଳର କିଛି ଲୋକ ଏବେ ଏଥିପ୍ରତି ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳିଛି। ବଣ୍ଡାଙ୍କ ଉନ୍ନତି ପାଇଁ ବଣ୍ଡା ଉନ୍ନୟନ ସଂସ୍ଥା ରହିଥିଲେ ମଧ୍ୟ ଏଦିଗରେ କାହିଁକି ଲୋକଙ୍କୁ ସହଯୋଗ କରୁନାହାଁନ୍ତି ସେନେଇ ସନ୍ଦେହ ସୃଷ୍ଟି ହେଉଛି। କୋଟି କୋଟି ଟଙ୍କା ବଣ୍ଡାଙ୍କ ଉନ୍ନତି ପାଇଁ ବର୍ଷବର୍ଷ ଧରି ଖର୍ଚ୍ଚ ହେଉଥିଲେ ମଧ୍ୟ ଆଜି ବଣ୍ଡା ଆଧୁନିକ ସଭ୍ୟତା ଠାରୁ ବହୁ ଦୂରରେ ରହିଛନ୍ତି। ବଣ୍ଡା ଦୁଇ ବେଳା ଖାଇବା ପାଇଁ ଅହରହ ପରିଶ୍ରମ କରୁଥିବା ବେଳେ ସେମାନଙ୍କୁ ଦୈନିକ କାମ ଏବଂ ରୋଜଗାରର ବାଟ ଆଜି ବି ସରକାର ଦେଖାଇ ପାରିନାହାନ୍ତି। କାଁ ଭାଁ କିଛି ଅଞ୍ଚଳରେ ବଣ୍ଡା ଯୁବକଯୁବତୀ ପାଠ ପଢି ଆଗକୁ ବଢିବାକୁ ଚେଷ୍ଟା କରୁଥିବା ବେଳେ ପାଠ ପଢି ବି ସେମାନେ ଦୈନିକ ମଜୁରୀ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଅର୍ଜୁନକୁ ସହଯୋଗ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପ୍ରତି ପ୍ରତ୍ସାହନ କଲେ ବଣ୍ଡାଘାଟିରେ କଫି ଚାଷକୁ ଆହୁରି ଆଗକୁ ନିଆଯାଇପାରିବ ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି।