ରାଜନଗର: ରିପ୍ଲବିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରିକୁ ନେଇ ପ୍ରତିବାଦର ସ୍ବର ଉଠିଛି। ଆଜି ରାଜନଗର ଦଧିବାମନଜୀଉ ମନ୍ଦିର ନିକଟରେ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ଏହି ବେଆଇନ ଗିରଫଦାରିକୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
୨୦୧୮ରେ କ୍ଲୋଜ ହୋଇଥିବା କେସକୁ ରିଓପନ କରି ରାଜନୈତିକ ଫାଇଦା ହାସଲ କରିବା ପାଇଁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ର ସରକାର ଜାଣିଶୁଣି ଶାରୀରିକ, ମାନସିକ ନିର୍ଯାତନା ଦେଇ ଅପରାଧୀଙ୍କୁ ବାନ୍ଧିବା ଭଳି ଘରୁ ଉଠାଇ ନେଲେ। ଭାରତରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡୁଛି। ଚତୁର୍ଥ ସ୍ତମ୍ଭର ସ୍ୱରକୁ ଚାପିବା ଠିକ ନୁହେଁ। ମହାରାଷ୍ଟ୍ର ସରକାରଙ୍କ ଏପରି ଦମନ ଲୀଳା ଚଳିବ ନାହିଁ ଆଦି ସ୍ଲୋଗାନ ଦେବା ସହ ରିପ୍ଲବିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସମ୍ମାନର ସହ ଜେଲରୁ ମୁକୁଳାଇବାକୁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି। ସୁମିତ୍ରା ସାହୁ, ଇସ୍ପିତା ରାଉତ, ସରସ୍ବତୀ ରାଉତ, ସୁଭଦ୍ରା ସାମଲ, ଶୁଭସ୍ମିତା ବିଶ୍ୱାଳ, ମୀରା ବିଶ୍ୱାଳ, ରତିକାନ୍ତ ବଳ, ବିଶ୍ୱ ରଂଜନ ଦାସ, ପଦ୍ମ ଲୋଚନ ରାଉତ ପ୍ରମୁଖ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ଏହି ପ୍ରତିବାଦ କରିଥିଲେ।