ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ହତ୍ୟା ଘଟଣା ଉପରୁ ପରଦା ହଟୁନି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମଧ୍ୟ ବିବାଦ ଥମୁନି। ହତ୍ୟା ମାମଲା ରୁଜୁ, ହତ୍ୟାକାରୀକୁ ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଆଜି ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ମଞ୍ଚ ରାସ୍ତାକୁ ଓହ୍ଲାଇଥିଲେ। ନେତୃତ୍ବ ନେଇଥିଲେ ଆଲବର୍ଟ କିଣ୍ଡୋ, ଲେଥା ତିର୍କୀ, ଜିଲ୍ଲା କଂଗ୍ରେସ ସଭାପତି ଜନାର୍ଦ୍ଦନ ଦେହୁରି, ସୁଶୀଲ କିଣ୍ଡୋ, ରାଜେଶ ଟପ୍ପୋ ଓ ଝିରପାଣି ସପରଞ୍ଚ ଅଜିତ ତିର୍କୀ। ଆନ୍ଦୋଳନରେ ସୁନ୍ଦରଗଡ ଜିଲ୍ଳାର ଶତାଧିକ ପୁରୁଷମହିଳା ଏକାଠି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଥିଲେ। ଅତିରିକ୍ତ ଓ ଜିଲ୍ଲାପାଳଙ୍କୁ ଗିରଫ କର, ପୁଲିସର ଗୁଣ୍ଡାଗିରି ଚଳିବ ନାହିଁ, ସୁସ୍ମିତାଙ୍କୁ ମାରିଲା କି ଏ? ଏଡିଏମ୍‌ ତୁମେ ଜବାବ ଦିଅ, ଜିଲ୍ଲାପାଳ ତୁବେ ଜବାବ ଦିନ ଆଦି ନାରା ଦେଇଥିଲେ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ପ୍ରାୟ ସାଢ଼େ ୩ଟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା। ପରେ ମଞ୍ଚର ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ଓ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଦାବିପତ୍ର ଦେଇଥିଲେ। ଯେ ପର୍ଯ୍ୟନ୍ତ ସୁସ୍ମିତା ହତ୍ୟାକାରୀକୁ ଫାଶି ଦଣ୍ଡ ନ ମିଳିଛି ଓ ସିବିଆଇ ଯାଞ୍ଚ କରା ନଯାଇ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Advertisment

ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସୁସ୍ମିତା ପାଣିରେ ବୁଡ଼ି ଆତ୍ମହତ୍ୟା କରିଛନ୍ତି। ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବାର ଯଥାର୍ଥତା ନାହିଁ । ପରିବାର ଲୋକଙ୍କ ଅଭିଯୋଗ ଓ ପାରପାର୍ଶ୍ବିକ ସ୍ଥିତି ଆଧାରରେ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ, ସୁସ୍ମିତା ବିବାହର କିଛି ମାସ ପରେ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ରାଜଗାଙ୍ଗପୁର ରାମବାହାଲସ୍ଥ ଘରୁ ପ୍ରତିଦିନ ରାଉରକେଲା ଏଡିଏମ୍‌ ଅଫିସକୁ ଆସୁଥିଲେ। ସଂଧ୍ୟାରେ କାମ ସାରି ଘରକୁ ଫେରୁଥିଲେ। ହେଲେ ୧୬ ତାରିଖରେ ଏଡିଏମ୍‌ ଅଫିସ୍‌ରେ ବୈଠକ ଆଳ ଦେଖାଇ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରଦିନ ଅର୍ଥାତ୍‌ ୧୭ ତାରିଖ ସକାଳେ ତାଙ୍କ ଭାଇ ସନ୍ଦୀପ ଭଉଣୀଙ୍କୁ ଖୋଜିବାକୁ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଥିଲେ। ନ ପାଇବାରୁ ଉଦିତନଗର ଥାନାରେ ତାଙ୍କ ଭଉଣୀ ନିଖୋଜ ହୋଇ ଯାଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଖୋଜାଖୋଜି କରି ରାତିରେ ସୁସ୍ମିତାଙ୍କୁ ରାଉରକେଲା ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ଠାବ କରିଥିଲା। ପରେ ଭାଇ ସନ୍ଦୀପଙ୍କୁ ସୁସ୍ମିତାଙ୍କ ସମ୍ପର୍କରେ ଜଣାଇଥିଲା। ପୁଲିସଠାରୁ ସୂଚନା ପାଇ ସନ୍ଦୀପ ତାଙ୍କ ମା’ଙ୍କୁ ନେଇ ଉକ୍ତ ହୋଟେଲରେ ପହଞ୍ଚିଥିଲେ। ସୁସ୍ମିତାଙ୍କୁ ଘରକୁ ନେବାକୁ ଚାହିଁଥିଲେ। ହେଲେ ସୁସ୍ମିତା ଘରକୁ ଯିବାକୁ ମନା କରି ଦେଇଥିଲେ। ସେହିଦିନ ରାତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୁରୁଣ୍ଡିଆ ବିଡିଓ ଏବଂ ସିଡିପିଓ ସନ୍ଦୀପଙ୍କ ଘରେ ପହଞ୍ଚି ସୁସ୍ମିତା ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି ବୋଲି କହିବା ପରେ ପରିବାର ଲୋକଙ୍କ ସନ୍ଦେହ ଆହୁରି ବଢ଼ିଥିଲା। ଗୋଟିଏ ଦିନ ପରେ ଅର୍ଥାତ୍‌ ୧୯ ତାରିଖ ସଂଧ୍ୟାରେ ସେନ୍‌ସରି ପାର୍କ ପରିସରସ୍ଥ ପୋଖରୀରୁ ସୁସ୍ମିତାଙ୍କ ଶବ ମିଳିଥିଲା।