ପିପିଲି: ଗତକାଲି ରାତିରେ ପିପିଲିରେ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ବିଡିଓ ସର୍ଭେଲାନ୍ସ ଟିମ୍‌ ଉପରେ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ ମହାରାଥୀ। କର୍ତ୍ତବ୍ୟରତ ଅବସ୍ଥାରେ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ମାଜିଷ୍ଟ୍ରେଟଙ୍କ ବୟାନ ପରେ ପୁଲିସ ବିଧାୟକ ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଡାକି ପଚରାଉଚରା କରିବା ପରେ ଗିରଫ କରିଛି। ତେବେ ମହାରଥୀଙ୍କ ବିରୋଧରେ ଧାରା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ଦଫା ୧୭୧ ବି, ୧୮୬ ଏବଂ ୧୨୩ ଆଧାରରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ତାଙ୍କୁ ଥାନାରେ ରଖି ପଚରାଉଚରା କରାଯାଉଛି। ଗତକାଲି ରାତିର ଘଟଣାକୁ ନେଇ ପିପିଲିରେ ଉତ୍ତେଜନା ପ୍ରକାଶ ପାଇବା ସେଠାରେ ପୁଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି।

Advertisment

publive-image

ଉଲ୍ଲେଖଯୋଗ୍ୟ କି, ଗତକାଲି ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ବିଡିଓ ସର୍ଭେଲାନ୍ସ ଟିମ୍‌ ଯାଞ୍ଚ ଲାଗି ବିଧାୟକ ମହାରାଥୀଙ୍କ ଫାର୍ମହାଉସକୁ ଯାଇଥିଲେ। ସେଠାରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ବୟାନ ଦେଇଛନ୍ତି ଏସ୍‌ଏସ୍‌ଟିରେ ସାମିଲ ଥିବା ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ର । ନିଜ ବୟାନରେ ସେ ଏହି ଘଟଣାରେ ବିଧାୟକ ମହାରଥୀଙ୍କ ସଂପୃକ୍ତି ଥିବା ସୂଚାଇଛନ୍ତି।

ଗତକାଲି ସାଢ଼େ ୧୨ଟା ବେଳେ ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ବିଡିଓ ସର୍ଭେଲାନ୍ସ ଟିମ୍‌ ଉପରେ ମହାରଥୀଙ୍କ  ଫାର୍ମହାଉସରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ତିନି ଟିମ୍‌ର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁତରଙ୍କ ମଧ୍ୟରେ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ଅଫିସର ରବିନାରାୟଣ ପାତ୍ର, ବିଡିଓ ସର୍ଭେଲାନ୍ସ ଟିମ୍‌ର ଭିଡିଓଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ଓ ସୁଶାନ୍ତ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ପିପିଲି ‌ପୁଲିସ ସହ ଗୋଟିଏ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି। ପୁଲିସକୁ ଦେଖି ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ।

publive-image

ସୂଚନା ମୁତାବକ, ଭୋଟର୍‌ଙ୍କୁ ଆପ୍ୟାୟିତ କରିବା ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା। ଏଥିସହ ସେଠାରେ ଟଙ୍କା ବଣ୍ଟାଯିବାର ମଧ୍ୟ ଯୋଜନା ରହିଥିଲା। ଖବର ପାଇ ମିଳିତ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଫଳରେ ଫାର୍ମ ହାଉସରେ ଉପସ୍ଥିତ ଲୋକେ ଟିମ୍‌ ସଦସ୍ୟଙ୍କୁ ଆକ୍ରମଣ କରିବା ସହ ଦୁଇଟି ଭିଡିଓ କ୍ୟାମେରାକୁ ପିଟି ଭାଙ୍ଗି ଦେଇଥିଲେ।