ଭଞ୍ଜନଗର: କରୋନା କଟକଣା ପାଇଁ ଦୀର୍ଘଦିନ ହେଲା ସମସ୍ତ ସାମାଜିକ ସଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇ ରହିଥିବାରୁ କଳାକାର ମାନେ ସେମାନଙ୍କ ରୋଜଗାର ହରାଇ ଦୁ୍ର୍ଦ୍ଦିନରେ ଦିନ କାଟୁଛନ୍ତି। ବର୍ତ୍ତମାନ ଲୋକମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର କଟକଣା କୋହଳ କରିବା ସହ ଦୋକାନ ବଜାର ଖୋଲିବାକୁ ଅନୁମତି ପ୍ରଦାନ କରିଲେଣି ତେଣୁ କଳାକାରମାନଙ୍କୁ ସେମାନଙ୍କ ରୋଜଗାର ଫେରାଇବା ପାଇଁ କୋଭିଡ ନିୟମ ପ୍ରକାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ନିମନ୍ତେ ସରକାର ଅନୁମତି ପ୍ରଦାନ କରନ୍ତୁ ବୋଲି ଆଜି ଘୁମୁସର ମିଳିତ କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୂ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସଂଘର ଆବାହକ ରବି ନାରାୟଣ ଦାଶଙ୍କ ନେତୃତ୍ବରେ ବହୁ କଳାକାର ବାଉଁଶଲୁଣ୍ଡି ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ଅତିକ୍ରମ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ। ସେଠାରେ ଉପଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ପର୍ବ ପର୍ବାଣିରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପରିବାର ପ୍ରତିପୋଷଣ କରୁଥିବା କଳାକାରମାନେ ବର୍ତ୍ତମାନ ବେରୋଜଗାର।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ନୀତି ନିୟମ ପାଳନ କରି ଆସିଥିବା ବେଳେ ବର୍ତ୍ତମାନ ସ୍ଥତି ସାମାନ୍ୟ ସ୍ବାଭାବିକ ହୋଇଥିବା ବେଳେ ମଞ୍ଚ କଳାକାରମାନଙ୍କୁ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟ। ତେଣୁ ଆସନ୍ତା ଜାନୁୟାରୀ ସୁଦ୍ଧା ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ନଦେଲେ କଳାକାରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ଜି. ଭଜରାମ,ନିରଞ୍ଜନ ବେହେରା,ବିନୋଦ କୁମାର ସେଠୀ,ସଂଗ୍ରାମ କୁମାର ପ୍ରଧାନ,ଆର୍ .ରାଜେଶ,ବାବୁଲି ବେହେରା,ପ୍ରଦ୍ୟୁମ୍ନ କୁମାର ବେହେରା,ପି.ଲୋକନାଥ,ପ୍ରମୋମଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।