କଟକ: ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ ପଣ୍ଡା (୭୬)ଙ୍କର ଆଜି ସଂଧ୍ୟାରେ ସିଡିଏ ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁଅ, ତିନି ବୋହୂ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ସେ ୬ ଦିନ ହେଲା ଅଧିକ ମାତ୍ରାରେ ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି ସଂଧ୍ୟାରେ ତାଙ୍କର ଶ୍ୱାସ ନେବାରେ ସମସ୍ୟା ହେବାରୁ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଅରୁଣ ପଣ୍ଡା ୧୯୪୮ ଅକ୍ଟୋବର ୫ ତାରିଖରେ କେଉଁଝର ଗଡ଼ରେ ଜନ୍ମଗ୍ରହଣ କରିଥିଲେ। କେନ୍ଦୁଝର ଧରଣୀଧର କଲେଜରୁ ସ୍ନାତକ ଡିଗ୍ରି ହାସଲ ପରେ ସେ ଦୈନିକ ‘ସମାଜ’ରେ ସାମ୍ବାଦିକତା ଆରମ୍ଭ କରିଥିଲେ। ୨୦୦୭ ମସିହାରେ ଅବସର ନେବା ପରେ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ସଂଗଠନ ସହ ନିଜକୁ ସଂପୃକ୍ତ ରଖିଥିଲେ। ସେ ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭ ଲେଖିବା ସହିତ ବୈଦ୍ୟୁତିକ ଗଣମାଧ୍ୟମର ଆଲୋଚନା ଓ ବିତର୍କରେ ଭାଗ ନେଇ ଆସୁଥିଲେ। ସେ ଅନେକ ପୁସ୍ତକ ରଚନା କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା। ସତୀଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ ପୁଅ ସନ୍ତୃପ୍ତ ମୁଖାଗ୍ନି ଦେଇଥିଲେ।