ମା’ ତାରିଣୀଙ୍କ ଆଷାଢ଼ୀ ପର୍ବ: ସାନ୍ଧ୍ୟ ଦର୍ଶନ ପାଇଁ ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଘଟଗାଁ: ମା’ ତାରିଣୀଙ୍କ ଆଷାଢ଼ୀ ପର୍ବ ଆଜି ପାଳିତ ହୋଇଛି। ଅଞ୍ଚଳବାସୀଙ୍କ ସୁଖସମୃଦ୍ଧି କାମନା କରି ମା’ ତାରିଣୀ ଆଜି ଉପବାସ ରହି ବିଷ୍ଣୁଙ୍କ ଆରାଧନା କରିଛନ୍ତି। ଏଥିପାଇଁ ଦିନତମାମ ମନ୍ଦିର ବନ୍ଦ ରହିଥିଲା। ସନ୍ଧ୍ୟାରେ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଆଷାଢ଼ ମାସର ଶେଷ ଗୁରୁବାର ଦିନ ମା’ ତାରିଣୀଙ୍କ ଆଷାଢ଼ୀ ପର୍ବ ପାଳନ କରାଯାଇଥାଏ। ଏଥିପାଇଁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ମା’ଙ୍କ ପୀଠକୁ ରଙ୍ଗବେରଙ୍ଗ ଆଲୋକରେ ସଜ୍ଜିତ କରାଯାଇଥିଲା। ନିମନ୍ତ୍ରିତ ହୋଇଥିବା ୨୨ ଖଣ୍ଡ ମୌଜାର ଗ୍ରାମଦେବତୀ ଶାଳର ଦେହୁରୀ ଓ ଗାଁ ମୁଖିଆମାନେ ଭୋଗଡାଲା, ବୋଦା ଧରି ସନ୍ଧ୍ୟାରେ ମା’ଙ୍କ ପୀଠରେ ପହଞ୍ଚିଥିଲେ। ସୂର୍ଯ୍ୟାସ୍ତ ପରେ ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ପ୍ରଦୀପ ଦେହୁରୀ, ନଟବର ଦେହୁରୀ, ରାଜକିଶୋର ଦେହୁରୀ, ପର୍ଶୁରାମ ଦେହୁରୀ, ଯଯାତି କେଶରୀ ଦେହୁରୀ, ଶରତ ଦେହୁରୀଙ୍କ ସମେତ ୧୦ରୁ ଅଧିକ ପୂଜକ ମା’ଙ୍କ ମାର୍ଜନା କରିବା ପରେ ଆଷାଢ଼ୀ ପୂଜାର ନୀତିକାନ୍ତି ଆରମ୍ଭ ହୋଇଥିଲା। ଗଙ୍ଗାଜଳ, ମହୁ, ଅଗୁର, ହଳଦୀ, ଚୁଆ, ଚନ୍ଦନ ଓ ଘିଅରେ ମା’ଙ୍କୁ ମହାସ୍ନାନ କରାଯିବା ପରେ ସୁନାବେଶରେ ସଜ୍ଜିତ କରାଯାଇଥିଲା। ଏହାପରେ ଶାବରୀ ମନ୍ତ୍ରରେ ଦେବୀଙ୍କ ସ୍ୱତନ୍ତ୍ର ପୂଜା କରାଯାଇଥିଲା। ଅପରାହ୍‌ଣରେ ଝିପିଝିପି ବର୍ଷା ସତ୍ତ୍ବେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟାରେ ପହଡ଼ ଖୋଲିବା ମାତ୍ରେ ପୂଜା ଦେଖିବା ପାଇଁ ଲମ୍ବାଧାଡ଼ିରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିଥିଲେ। ସନ୍ଧ୍ୟା ଆଳତି ପରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ସୁନାବେଶରେ ଦର୍ଶନ କରିଥିଲେ।

ରାତି ୮ଟା ପରେ ବିଭିନ୍ନ ମୌଜାରୁ ଆସିଥିବା ଗ୍ରାମଦେବତୀ ଶାଳର ଦେହୁରୀ ଓ ଗାଁ ମୁଖିଆଙ୍କ ‌ଭୋଗଡାଲା ଓ ବୋଦା ଗୁଡ଼ିକୁ ନେଇ ପୂଜା କରାଯାଇଥିଲା। ଜଣକ ପରେ ଜଣେ ଯାଇ ପୂଜା କରିଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ଏହି ପୂଜା ଚାଲିଥିଲା। ବିଳମ୍ବିତ ରାତିରେ ନିଶାପୂଜା କରାଯାଇଥିଲା। କିଂବଦନ୍ତି ଅନୁସାରେ ଏହି ଗୋଟିଏ ଦିନ ପୀଠରେ ବଳିଭୋଗ ବ୍ୟବସ୍ଥା ଥିବାରୁ ଆଜି ଛାଗ ବଳି ଦିଆଯାଇଥିଲା। ପୂଜକମାନେ ନିଶାପୂଜା ଶେଷ କରିବା ପରେ ପ୍ରସାଦ ସେବନ କରିଥିଲେ।

ସମ୍ବନ୍ଧିତ ଖବର