କରୋନା ମୁକାବିଲାର ଅସଲି ଯୋଦ୍ଧା ଆଶା ଓ ଅଙ୍ଗନବାଡି ଦିଦି

ଘର ବୁଲି କବାଟ ବାଡେଇ ସଚେତନ କରୁଛନ୍ତି ମଂଜୁତା ଓ ଗୁରୁବାରୀ 

ଫୁଲବାଣୀ: କରୋନା ମୁକାବିଲା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ସେମାନଙ୍କର କେତେ ବେଳେ କଣ ହେବ ସେ ନେଇ କେହି ବି ଚିନ୍ତା କରୁ ନାହାନ୍ତି। ସେମାନଙ୍କ ଗୋଟିଏ ଲକ୍ଷ୍ୟ କରୋନା ହାରିବ ହିଁ ହାରିବ। ସବୁଠାରୁ ବଡ କଥା ହେଲା ତୃଣମୁଳସ୍ତରରେ କରୋନା ମୁକାବିଲା ପାଇଁ ଦିନ ଓ ରାତିକୁ ଏକ କରି ସଚେତନ କରୁଥିବା ଆଶା ଓ ଅଙ୍ଗନବାଡି ଦିଦି ଅସଲ ଯୋଦ୍ଧା ପାଲଟିଛନ୍ତି। କନ୍ଧମାଳ ଜିଲ୍ଲାର ୧୭୧ଟି ପଞ୍ଚାୟତର ସବୁ ଗାଁରେ କରୋନା ସଚେତନ କରୁଛନ୍ତି ୧ହଜାର ୫୨୧ ଜଣ ଆଶା ଓ ୨ହଜାର ୧୨୦ ଜଣ ଅଙ୍ଗନବାଡି ଦିଦି।

ନିଧୁର୍ମ ଖରାରେ ଗାଁଗାଁ ବୁଲି ଲୋକଙ୍କୁ କରୋନା ସଚେତନ ଲିଫଲେଟ ବାଣ୍ଟୁଛନ୍ତି। ଏଥି ସହ ଘରୁ ପଦାକୁ ନ ବାହାରିବା, ବାରମ୍ବାର ସାବୁନରେ ହାତ ଧୋଇବା, ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବା, ଥଣ୍ଡା ଓ ଜ୍ବର ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କୁ ଦେଖା କରିବା ନେଇ ଆଜି ‌ଲୋକମାନଙ୍କୁ ସେମାନେ ସଚେତନ କରୁଛନ୍ତି। ଜୀବନକୁ ବାଜି ଲଗାଇ କରୋନା ମୁକାବିଲା ପାଇଁ ଅସଲି ଯୋଦ୍ଧା ପାଲଟିଥିବା ଏମିତି ଜଣେ ଆଶାକର୍ମୀ ହେଲେ ମଂଜୁତା ଦିଗାଲ ଓ ଆଉ ଜଣେ ଅଙ୍ଗନବାଡି କର୍ମୀ ହେଲେ ଗୁରୁବାରୀ ମଲ୍ଲିକ। ଯୁବ ସମାଜସେବୀ ବୁଲୁ ଦିଗାଲଙ୍କ ପ୍ରେରଣା ଓ ଦିଗଦର୍ଶନରେ  ମଂଜୁତା ଓ ଗୁରୁବାରୀ ଟିକାବାଲି ବ୍ଳକ ଟିକାବାଲି ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଲୋକଙ୍କୁ  କରୋନା ସଚେତନ କରୁଛନ୍ତି। କୌଣସି ଗାଁକୁ ନିଜ ଏରିଆ ନ ଭାବି ସେମାନେ କରୋନାକୁ ହରାଇବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି।

ଗାଁ ଗହଳିରେ ଲୋକମାନେ ପୂର୍ବ ଅପେକ୍ଷା ସଚେତନ ହେଲେଣି। ଜରୁରୀ କାମ ନଥିଲେ ବାହାରେ କେହି ବୁଲାବୁଲି କରୁ ନାହାନ୍ତି। ତଥାପି ଏଭଳି ସ୍ଥଳେ ମଂଜୁତା ଓ ଗୁରୁବାରୀ ଘରଘର ବୁଲି କବାଟ ବାଡେଇ ଲୋକଙ୍କୁ ସଚେତନ କରାଉଛନ୍ତି। ନିଜର, ରାଜ୍ୟ ଓ ଦେଶର ସୁରକ୍ଷା ଏବଂ କରୋନାକୁ ହରାଇବା ପାଇଁ ଯାହା କଷ୍ଟ ହେଲେ ବି କରିବାକୁ ପ୍ରସ୍ଚୁତ ବୋଲି ସେମାନେ କହିଛନ୍ତି। କରୋନା ଭୟାବହତା ନେଇ ସମସ୍ତେ ପୂର୍ବ ଅପେକ୍ଷା ଅଧିକ ସଚେତନ ହୋଇଥିବା ବେଳେ କିଛି ଅମାନିଆ ଯୁବଗୋଷ୍ଠୀ ବୁଲାବୁଲି କରୁଥିବାରୁ ଏହାକୁ ନେଇ ସେମାନେ ଉଦବେଗ ପ୍ରକାଶ କରିଛନ୍ତି।

ବିଭିନ୍ନ ଗାଁ ବୁଲି ସଚେତନ କରିବା ସମୟରେ ପିଲାମାନେ ଏତତ୍ରିତ ହୋଇ ବିଭିନ୍ନ ଖେଳ ଖେଳୁଛନ୍ତି। ଭୋଜିଭାତ କରୁଥିବା ଦେଖିବାକୁ ସେମାନେ ପାଉଛନ୍ତି। ଏହି ଆମାନିଆଙ୍କ ପାଇଁ ସେମାନଙ୍କ ପରିବାରର ବଡ କ୍ଷତି ହେବ। ଏଥି ସହ ଗାଁ,ରାଜ୍ୟ ଓ ଦେଶ ବି କ୍ଷତି ସହିବାକୁ ପଡିବ। ତେଣୁ ପରିବାରର ମୁରବୀମାନେ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅମାନିଆଙ୍କୁ ବାରଣ କରିବାକୁ ମଂଜୁତା ଓ ଗୁରୁବାରୀ ନିବେଦନ କରିଛନ୍ତି। ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସରେ କରୋନାକୁ ହରାଇବା ନିମନ୍ତେ ସମସ୍ତେ ଏକଜୁଟ ହେବାକୁ ସେମାନେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର