୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫାଣ୍ଡି ଏଏସଆଇ

ବାଲିଅନ୍ତା: ଆଜି ସଂଧ୍ୟା ୬ଟା ସମୟରେ ଏକ ବିବାଦୀୟ ଜମି ମାମଲାରେ ତଦନ୍ତ ରିପୋର୍ଟ ଦେବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପାହାଳ ଫାଣ୍ଡିର ଜଣେ ଏଏସଆଇ । ଗିରଫ ପୁଲିସ ଏଏସଆଇ ହେଲେ ପ୍ରମୋଦ କୁମାର ପ୍ରଧାନ । ଶ୍ରୀ ପ୍ରଧାନ ବେଧଡ଼କ ଭାବେ ଫାଣ୍ଡି ଭିତରେ ନିଜ ଚେୟାରରେ ବସିଥିବା ବେଳେ ସଂନ୍ଦୀପ ପତ୍ରି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଫାଣ୍ଡି ବାହାରେ ଥିବା ୭ ଜଣିଆ ଟିମ ଅତର୍କିତ ଭାବେ ସେଠାରେ ଚଢ଼ଉ କରି କାବୁ କରିନେଇଥିଲେ । ପ୍ରମୋଦ ନେଇଥିବା ଲାଞ୍ଚ ଟଙ୍କା ତରତର ହୋଇ ସାର୍ଟପକେଟରେ ରଖି ଦେଇଥିଲେ । ଭିଜିଲାନ୍ସ ଟିମ ପ୍ରମୋଦଙ୍କ ସାର୍ଟ ପକେଟରୁ କେମିକାଲ ବୋଳା ଉକ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ ।

ସୂଚନା ମୁତାବକ ଭୁବନେଶ୍ବର ସହୀଦନଗର ଅଞ୍ଚଳର ସଂନ୍ଦୀପ ପାତ୍ରଙ୍କ ସହ ପାହାଳ ମୌଜାରେ ଜଣେ ବ୍ୟକ୍ତିଙ୍କ ସହ ଜମି ବିବାଦ ଲାଗି ରହିଛି । ଉକ୍ତ ଜମି ଉପରେ ୧୪୪ ଜାରି ହୋଇଛି । ପୁଲିସ ରିପୋର୍ଟ ଦେବା ପାଇଁ ପ୍ରମୋଦ ଦୀର୍ଘ ଦେଢ଼ମାସ ହେଲା ସନ୍ଦୀପଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ତଦନ୍ତ ରିପୋର୍ଟ ଦେବା  ପାଇଁ ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଥିଲେ । ଏମିତିକି ତାଙ୍କ ସପକ୍ଷରେ ପୁଲିସ ରିପୋର୍ଟ ଦେବା ପାଇଁ ପ୍ରମୋଦ ୩୦୦୦ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । ତେଣୁ ସନ୍ଦୀପ ଏନେଇ ଭୁବନେଶ୍ବର ସୂର୍ଯ୍ୟନଗର ସ୍ଥିତ ଭିଜିଲାନ୍ସସେଲରେ ଅଭିଯୋଗ କରିଥିଲେ ।

ଯୋଜନା ମୁତାବକ ସନ୍ଦୀପ ଆଜି ସଂଧ୍ୟାରେ ପ୍ରମୋଦଙ୍କୁ ଭେଟିବା ପାଇଁ ଫୋନକରି ଜଣାଇଥିଲେ । ପ୍ରମୋଦ ତାଙ୍କୁ ଫାଣ୍ଡିରେ ଅଉନ୍ତି ଏବଂ ସେଠାକୁ ଆସିବା ପାଇଁ କହିଥିଲେ । ଏହାପରେ ସନ୍ଦୀପ ଫାଣ୍ଡିରେ ପହଞ୍ଚି ପ୍ରମୋଦଙ୍କ ହାତକୁ ଟଙ୍କା ବଢ଼ାଇ ଦେଇଥିଲେ । ଟଙ୍କା ଗ୍ରହଣ କରିବା ପରେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ନେଇଥିଲେ । ପାହାଳ ଫାଣ୍ଡିର ଜଣେ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଥାନାବାବୁଙ୍କ ଚେତା ପଶିଛି । ଥାନାରେ ରାତି ଅଧିଆ ବୈଠକ ଡକାଇ କାର୍ଯ୍ୟରତ ସବୁ ପୁଲିସ ଅଧିକାରୀଙ୍କୁ ତାଗିଦ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର