ରାଉରକେଲା : ‘ରଖେ ହରି ତ ମାରେ କିଏ’। ଯଦି କାହାର ମୃତ୍ୟୁ ଭାଗ୍ୟରେ ନ ଥାଏ, କେହି ବି ଜୀବନ ନେଇ ପାରିବ ନାହିଁ। ଏଭଳି ଏକ ବିରଳ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ରାଉରକେଲା ଷ୍ଟେସନରେ। ଚଳନ୍ତା ଟ୍ରେନ୍ ତଳକୁ ଖସି ଭାଇ-ଭଉଣୀଙ୍କ ଜୀବନ ଚାଲିଯିବା ନିଶ୍ଚିତ ଥିବାବେଳେ ଦେବଦୂତ ସାଜି ପହଞ୍ଚିଥିଲେ ରେଳବାଇ ଏଏସ୍ଆଇ ନିରେନ ପାଣି । ଦୁଇ ଭାଇ ଓ ଭଉଣୀଙ୍କୁ ଆଖି ପିଛୁଳାକେ ଟ୍ରେନ୍ ଚକା ତଳୁ ଟାଣି ଜୀବନ ବଞ୍ଚାଇ ଦେଇଥିଲେ। ଏହି ଘଟଣା ଆଜି ରାଉରକେଲା ଷ୍ଟେସନରେ ଚର୍ଚାର ବିଷୟ ହୋଇଛି । ଏଏସଆଇ ଶ୍ରୀ ପାଣିଙ୍କ ଏଭଳି ମହତ କାର୍ଯ୍ୟକୁ ଷ୍ଟେସନରେ ଉପସ୍ଥିତ ଯାତ୍ରୀମାନେ ପ୍ରଶଂସା କରିବା ସହିତ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

Advertisment

ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା। ସାଉଥ୍‌ ବିହାର ଏକ୍ସପ୍ରେସ୍‌ରେ ରାଉରକେଲାର ଏକ ପରିବାର ଦୁର୍ଗ ଆଡ଼କୁ ଯାଉଥିଲେ। ପରିବାରରେ ଥିଲେ ବୃଦ୍ଧ ଦଂପତି ଓ ତାଙ୍କର ପୁଅ (୨୦), ଝିଅ (୧୮)। ଟ୍ରେନ୍‌ ଷ୍ଟେସନ୍‌ରେ ଅଟକି ରହିଥିବାବେଳେ ଚାରି ଜଣ ଷ୍ଟେସନରେ ବୁଲାବୁଲି କରୁଥିଲେ। ‌ଏତିକିବେଳେ ଟ୍ରେନ୍‌ ଛାଡ଼ି ଦେଇଥିଲା । ଏ ବିଷୟରେ କିନ୍ତୁ ସଂପୂର୍ଣ୍ଣ ଅଜ୍ଞଥିଲେ ସେମାନେ। ଟ୍ରେନ୍‌ ଛାଡ଼ିବା ଦେଖି ବୃଦ୍ଧ ଦଂପତି ଦୌଡ଼ିଦୌଡ଼ି କଷ୍ଟେମଷ୍ଟେ ଟ୍ରେନ୍‌ରେ ଚଢ଼ିଯାଇଥିଲେ। ସେତେବେଳକୁ ଟ୍ରେନ୍‌ ବେଗ ଧରିସାରିଥିଲା। ବାପା-ମା’ ଟ୍ରେନ୍‌ରେ ଚଢ଼ିସାରିବାପରେ ଭାଇ-ଭଉଣୀ ଟ୍ରେନ୍‌ରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ରେଳବାଇ ପୁଲିସ, ଆର୍‌ପିଏଫ୍‌ ଟ୍ରେନ୍‌ରେ ନ ଚଢ଼ିବାକୁ ସେମାନଙ୍କୁ ବାରଣ କରିଥିଲେ। ମାତ୍ର ଭାଇ-ଭଉଣୀ ନଛୋଡ଼ବନ୍ଧା ହୋଇ ଫିଲ୍ମ ଷ୍ଟାଇଲ୍‌ରେ ଟ୍ରେନ୍‌ରେ ଚଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଟ୍ରେନ୍‌ରେ ଭିତରକୁ ପଶିବା ପୂର୍ବରୁ ଭାଇ-ଭଉଣୀ ତଳେ ପଡ଼ିଯାଇଥିଲେ। ଉଭୟେ ଟ୍ରେନ୍‌ ଚକ ତଳକୁ ପଶିଯିବା ପୂର୍ବରୁ ଦେବଦୂତ ସାଜିଥିଲେ ରେଳବାଇ ଏଏସ୍‌ଆଇ ଶ୍ରୀ ପାଣି । ନିଜ ଜୀବନକୁ ବାଜି ଲଗାଇ ଉଭୟ ଭାଇ-ଭଉଣୀଙ୍କ ହାତକୁ ଟାଣି ଆଣି ନିଶ୍ଚିତ ବିପଦରୁ ବଞ୍ଚାଇଦେଇଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଯାତ୍ରୀଙ୍କ ମନ ଜିଣିଥିଲା। ଅବଶ୍ୟ ପରେ ଟ୍ରେନ୍‌କୁ ଅଟକାଇ ଭାଇ-ଭଉଣୀଙ୍କୁ ଦୁର୍ଗକୁ ଯିବାର ବ୍ୟବସ୍ଥା କରାଯାଇଥିଲା।