ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାରେ ପୁଲିସର ଦୌରାତ୍ମ ଓ ମନମାନିର ଏକ ନିଚ୍ଛକ ଉଦାହରଣ ଆଜି ଦେଖିବାକୁ ମିଳିଛି। କୌଣସି ଏକ ମାମଲା ସମ୍ପର୍କରେ ବୁଝିବାକୁ  ଯାଇଥିଲେ ଜନୈକ ୱାର୍ଡସଭ୍ୟ । ତାଙ୍କୁ ପଛରୁ ଡାକିଥିଲେ ଜଙ୍କିଆ ଥାନାର ଏଏସ୍‌ଆଇ ନିରଞ୍ଜନ ମହାନ୍ତି। ୱାର୍ଡସଭ୍ୟ ଜଣକ ନଶୁଣିବାରୁ ତାଙ୍କୁ ମୁଣ୍ଡକୁ ପଥର ବାଡ଼େଇ ଲହୁଲୁହାଣ କରିଛନ୍ତି। ଏହାର ପ୍ରତିବାଦ କରିବାରୁ ଅନ୍ୟଜଣେ ସମିତି ସଭ୍ୟଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଛନ୍ତି।

Advertisment

ସୂଚନାନୁସାରେ, ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ (୫୨)ଙ୍କ ଜଣେ ସମ୍ପର୍କୀୟ ଏକ ମାମଲାରେ ଜଙ୍କିଆ ଥାନାକୁ ଆସିଥିଲେ। ମଧ୍ୟାହ୍‌ଣ ପ୍ରାୟ ୧୨ଟା ବେଳେ ସମ୍ପର୍କୀୟଙ୍କ ପଛେପଛେ ନବକିଶୋର ମଧ୍ୟ ଥାନାକୁ ଆସିଥିଲେ। ଥାନାରେ ଆଇଆଇସି ନଥିବାରୁ ନବକିଶୋର ଥାନାରୁ ବାହାରି ଆସି ବାହାରେ ଫୋନ୍‌ରେ କଥା ହେଉଥିଲେ। ଏହି ସମୟରେ ଥାନା ଦାୟିତ୍ବରେ ଥିବା ଏଏସ୍‌ଆଇ ନିରଞ୍ଜନ ମହାନ୍ତି ତାଙ୍କୁ ଡାକିଥିଲେ। ତେବେ ସେ ଫୋନ୍‌ରେ କଥା ହେଉଥିବାରୁ ଏଏସ୍‌ଆଇଙ୍କ ଡାକ ଶୁଣିପାରିନଥିଲେ। ଫଳରେ ଏଏସ୍‌ଆଇ ଉତକ୍ଷୀପ୍ତ ହୋଇ ପ୍ରଥମେ ଏକ ଟେକା ଫିଙ୍ଗିଥିଲେ। ନବାଜିବାରୁ ନିକଟକୁ ଯାଇ ନବକିଶୋରଙ୍କୁ ଗାଳିଗୁଲଜ କରିବା ସହ ଆଉ ଏକ ପଥର ଉଠାଇ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ଏଥିରେ ନବକିଶୋର ମୁଣ୍ଡ ଫାଟିଯାଇଥିଲେ। ସେଠାରୁ ନବକିଶୋର ଚାଲିଯାଉଥିବା ବେଳେ ପଛରୁ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଟଣାଓଟରା କରିଥିଲେ। ଏହି ସମୟରେ ସେଠାରେ ଥିବା ଅନ୍ୟଜଣେ ସମିତି ସଭ୍ୟ ଈଶ୍ବର ମାର୍ଥା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ‘ଶଳା ନେତାଗିରି ଦେଖାଉଛୁ’ ବୋଲି କହି ଈଶ୍ବରଙ୍କୁ ଅତର୍କିତ ଭାବେ ବିଧାଚାପୁଡ଼ା ମାରିଥିଲେ।

ପରେ ଆହତ ଅବସ୍ଥାରେ ନବକିଶୋରଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଥିଲା। ଘଟଣା ସମ୍ପର୍କରେ ଶୁଣି ଜଙ୍କିଆ ସରପଞ୍ଚ ପଙ୍କଜିନୀ ‌ବଳବନ୍ତରାୟ, ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ରନରେନ୍ଦ୍ରଙ୍କ ସହ ସ୍ଥାନୀୟ ବାସିନ୍ଦା ଥାନା ଠାରେ ପହଞ୍ଚି ଏଏସ୍‌ଆଇଙ୍କ ଏଭଳି କାଣ୍ଡର ପ୍ରତିବାଦ କରିଥିଲେ। ସୂଚନା ପାଇ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଜ୍ଞାଋତୁମ୍ଭରା କର ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ତାଙ୍କୁ ବୁଝାଶୁଝା କରିଥିଲେ। ଏଏସ୍‌ଆଇଙ୍କ ବିରୋଧରେ ଆହତ ୱାର୍ଡ ସଭ୍ୟ ନବ କିଶୋରଙ୍କ ପତ୍ନୀ ଏତଲା ଦେଇଛନ୍ତି। ଘଟଣା ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲିପ କୁମାର ଦାସ କହିଛନ୍ତି ଯେ ଏଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ତାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୁଲିସ ବିଭାଗରେ ଲୋକଙ୍କ ପ୍ରତି  ଏଭଳି ବ୍ୟବହାରକୁ ବରଦାସ୍ତ କରାଯିବନାହିଁ। ଅଭିଯୋଗ ହେବାକ୍ଷଣି ପଦକ୍ଷେପ ନିଆଯିବ।