ଆସିକା ଚିନିଶିଳ୍ପ ସଭାପତି ପଦରେ ଦ୍ବିମୁଖୀ ଲଢ଼େଇ; ବନ୍ଦ ଲଫାପା ଖୋଲିଲେ ମନ୍ତ୍ରୀ ଅମାତ

ଆସିକା : ଆସିକା ନୂଆଗାଁ ସ୍ଥିତ ସମବାୟ ଚିନିଶିଳ୍ପ ଓ ଆସିକା ବହୁମୁଖି ସେବା ସମବାୟ ସମିତିର ସଭାପତି ପଦବିରେ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଛି ଆସିକା ରାଜନୀତି। ତେବେ ଶାସକ ଦଳ ପକ୍ଷରୁ ଏହି ପଦ ପାଇଁ  ବହୁ ଆଶାୟୀ ଅପେକ୍ଷା କରିଥିବା ବେଳେ ଶେଷରେ ଆସିକା ସମବାୟ ଚିନିଶିଳ୍ପ ସଭାପତି ପଦ ପାଇଁ ୭ ନମ୍ବର ଜୋନ ନିର୍ଦ୍ଦେଶକ ରବୀନ୍ଦ୍ର ପଣ୍ଡା ଓ ଆସିକା ବହୁମୁଖି ସେବା ସମବାୟ ସମିତି ପାଇଁ ୧୧ ନମ୍ବର ଜୋନ ନିର୍ଦ୍ଦେଶକ କାର୍ତ୍ତିକେଶ୍ୱର ପରିଡ଼ାଙ୍କ ନାମରେ ବିଜେଡି ମୋହର ଲାଗିଛି। ଦଳୀୟ କାର୍ଯ୍ୟାଳୟରୁ ବନ୍ଦ ଲଫାପାରେ ଆସିଥିବା ନାମକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଚିନିଶିଳ୍ପ ଡାକବଙ୍ଗଳା ଠାରେ ଘୋଷଣା କରିଛନ୍ତି। ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ, ସାଂସଦ ପ୍ରମିଳା ବିଷୋୟୀ, ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ଵାଇଁ, ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ, ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାହାକ, ଖାରିଆ ସରପଞ୍ଚ ଭଗବାନ ସାହୁଙ୍କ ସମେତ ବହୁ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଆସିକା କେନ୍ଦ୍ର ବହୁମୁଖି ସମବାୟ ସମିତିର ସଭାପତି ପଦରେ ଏକମାତ୍ର ପ୍ରାର୍ଥୀ କାର୍ତ୍ତିକେଶ୍ୱର ପରିଡ଼ା ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସେ ଏହି ପଦରେ ନିର୍ଦ୍ବନ୍ଦ୍ବ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କାର୍ତ୍ତିକେଶ୍ୱର ବହୁ ସମବାୟ ସମିତିର ଦାୟିତ୍ୱ ତୁଲାଇବା ସହିତ ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ।

ତେବେ ଚିନିଶିଳ୍ପର ସଭାପତି ପଦରେ ଦଳୀୟ ପ୍ରାର୍ଥୀ ରବୀନ୍ଦ୍ର ପଣ୍ଡାଙ୍କ ବିରୋଧରେ ୨ ନମ୍ବର ଜୋନର ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ବରାଡ଼ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଫଳରେ ଏହି ପଦବି ପାଇଁ ଏବେ ଦ୍ବିମୁଖି ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି। ତେବେ ପୂର୍ଣ୍ଣଚନ୍ଦ୍ର ବହୁ ବର୍ଷ ହେଲା ଚିନିଶିଳ୍ପ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ସେ ଗଞ୍ଜାମ ଜିଲ୍ଲା ଆଖୁଚାଷୀ ସଂଘର ସାଧାରଣ ସମ୍ପାଦକ ଅଛନ୍ତି। ଏପରିକି ଚଳିତ ସମବାୟ ନିର୍ବାଚନରେ ସେ ୨ନମ୍ବର ଜୋନରେ ତିନି ଜଣ ନିର୍ଦ୍ଦେଶକ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା କରି ବିଜୟୀ ହୋଇଛନ୍ତି। ଆସନ୍ତାକାଲି ଭୋଟଗ୍ରହଣ ଥିବା ବେଳେ ଏହି ପଦରେ ଏବେ କଡ଼ା ଟକ୍କର ହେବା ନେଇ ଆଶା କରାଯାଉଛି। ଆସନ୍ତାକାଲି  ଅପରାହ୍‌ଣରେ ନିର୍ବାଚନ ଫଳାଫଳ  ଘୋଷଣା ହେବ ବୋଲି  ନିର୍ବାଚନ ଅଧିକାରୀ ଜ୍ୟୋତିଶଙ୍କର ରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର