ରୋଜଗାର ଲୋଭ ଦେଖାଇ ଠକିଦେଲା ଦଲାଲ; ମୂଲ ମାଗିଲେ ମାଡ଼

କେନ୍ଦ୍ରାପଡ଼ା: ପରିବାର ଚଳାଇବା ପାଇଁ ପଦାକୁ ଗୋଡ଼ କାଢ଼ିଥିଲେ। ସ୍ବପ୍ନ ଥିଲା, ଭଲ ଦି’ ପଇସା ରୋଜଗାର କରିବେ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ। କିନ୍ତୁ ଏ ସବୁ ସ୍ବପ୍ନ ନିମିଷକରେ ମିଳେଇଗଲା। ଦଲାଲଙ୍କ କଥାରେ ପଡ଼ି ବାହାରକୁ ଗଲେ ସିନା, କିନ୍ତୁ ପ୍ରାପ୍ୟ ବଦଳରେ ମିଳିଲା ମାଡ଼। ଇଏ ହେଉଛି କେନ୍ଦ୍ରାପଡ଼ା ବ୍ଲକ୍‌ ବାରୋ ଓ ଉଚ୍ଛରପଡ଼ା ଗ୍ରାମର ଚାରି ଯୁବକଙ୍କ ଦୁଃଖଭରା କାହାଣୀ। ଏଭଳି ଭୟଙ୍କର ଠକାମି ଓ ନିର୍ଯାତନାର ଶିକାର ହୋଇଥିବା ଚାରି ଶ୍ରମିକ ହେଉଛନ୍ତି ଉକ୍ତ ଦୁଇ ଗ୍ରାମର ଅଞ୍ଜନ ମଳିକଙ୍କ ପୁଅ ସୋମନାଥ ମଳିକ(୧୭) ଓରଫ୍‌ ମଣ୍ଟୁ, ପ୍ରକାଶ ମଳିକଙ୍କ ପୁଅ ତୁଷାର ମଳିକ(୧୭) ଓରଫ୍‌ ଚନ୍ଦନ, ବଳରାମ ମଳିକଙ୍କ ପୁଅ ବବ୍‌ଲୁ ମଳିକ(୧୬), ଦାମୋଦର ମଳିକଙ୍କ ପୁଅ ଶରତ ମଳିକ(୧୬) ଓରଫ୍‌ ବଣ୍ଟି। ଏମାନେ ତାମିଲନାଡ଼ୁ ସାଲେମ ଅ˚ଚଳର ଏକ କାଟୁନ୍‌ ପେପର‌୍‌ ମିଲ୍‌ରେ ଫସିଯାଇଥିବା ନେଇ ଶୁକ୍ରବାର ପରିବାର ଲୋକ ଜିଲ୍ଲାପାଳଙ୍କ ପାଖେ ଅଭିଯୋଗ କରିବା ସହ ତୁରନ୍ତ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

ଜିଲ୍ଳା ଜରୁରୀକାଳୀନ ଅଧିକାରୀଙ୍କ ଜରିଆରେ ଜାନକୀ ମଳିକ, ଟୁନି ମଳିକ, ରଶ୍ମିତା ମଳିକ, ଉର୍ମିଳା ମଳିକ ପ୍ରମୁଖ ଜିଲ୍ଲାପାଳଙ୍କୁ କରିଥିବା ଅଭିଯୋଗ ଅନୁଯାୟୀ, କରୋନାଜନିତ ଲକଡାଉନ୍‌ ପାଇଁ ପରିବାରର ଆର୍ଥିକ ଅବସ୍ଥା ସ˚ପୂର୍ଣ୍ଣ ଦୋହଲିଗଲା। ରୋଜଗାର ହରାଇବାରୁ ଘରେ ଦି’ ଓଳି ପେଟପୂରା ଖାଇବା ମୁସ୍କିଲ୍‌ ହୋଇପଡ଼ିଲା। ଏଭଳି ସ୍ଥିତିରେ ବରୋ ଗ୍ରାମର ଜଣେ ଯୁବକ ଆମ ପିଲାଙ୍କୁ ଭୁବନେଶ୍ବରରେ ୮ଘଣ୍ଟା କାମ କଲେ ୧୨ହଜାର ଟଙ୍କା ମିଳିବ ବୋଲି ଲୋଭ ଦେଖାଇଥିଲା। ଏଭଳି ଲୋଭନୀୟ ରୋଜଗାର ପ୍ରତିଶ୍ରୁତି ପାଇବା ପରେ ଆମ ପିଲାମାନେ ଗତ ସେପ୍ଟେମ୍ବର ୧୮ତାରିଖରେ ଏକ ବସ୍‌ରେ ଭୁବନେଶ୍ବରସ୍ଥିତ ତରାଣ୍ତ ଛକକୁ ନେଇଥିଲେ। ସେଠାରେ ଗୋଟିଏ ଘରେ ରହିବାର ଦିନକ ପରେ ତାମିଲନାଡ଼ୁର ଏକ କ˚ପାନିରେ କାମ କଲେ ଆଉ ଅଧିକ ୫ହଜାର ଟଙ୍କା ମିଳିବ ବୋଲି ସ˚ପୃକ୍ତ ଯୁବକ ଜଣକ କହିଥିଲେ।

ଏଥିରେ ଭଳିଯାଇ ଆମ ପିଲାମାନେ ତାମିଲନାଡ଼ୁ ଯାଇଥିଲେ। ସାଲେମ ଅ˚ଚଳର ଏକ କାଟୁନ ପେପର‌୍‌ ମିଲ୍‌ରେ କାମ ମିଳିଲା। ମାତ୍ର ୮ଘଣ୍ଟା ବଦଳରେ ୧୨ଘଣ୍ଟା କାମ କରିବାକୁ କୁହାଗଲା। ହେଲେ ଗଲା ତିନି ମାସ ମଧ୍ୟରେ ଗୋଟିଏ ଟଙ୍କା ବି ପ୍ରାପ୍ୟ ମିଳିନାହିଁ। ଟଙ୍କା ମାଗିଲେ ମରଣାନ୍ତକ ଆକ୍ରମଣ କରାଯାଉଥିବା ସ˚ପୃକ୍ତ ଅଭିଭାବକମାନେ ଅଭିଯୋଗରେ ଦର୍ଶାଇବା ସହ ଗଲା ଦୁଇ ଦିନ ପିଲାମାନଙ୍କୁ ଗୋଟିଏ କୋଠରୀରେ ବନ୍ଦ ରଖାଯାଇଛି। ପିଲାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପ୍ରଶାସନ ତୁରନ୍ତ ଉଦ୍ଧାର ଦିଗରେ ପଦକ୍ଷେପ ନେବା ପାଇଁ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କ ପାଖେ ଆକୁଳ ନିବେଦନ କରିବା ସହ ସ˚ପୃକ୍ତ ଦଲାଲ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର