ନୀତି ଆୟୋଗ ରିପୋର୍ଟରେ ଚମକିଲା ରାୟଗଡ଼ା: ଆଂକାକ୍ଷା ଯୋଜନା ତାଲିକାରେ ଶ୍ରେଷ୍ଠ-୫ରେ ଜିଲ୍ଲା

ରାୟଗଡ଼ା: ନୀତି ଆୟୋଗର ଅକ୍ଟୋବର ରିପୋର୍ଟରେ ଚମକିଛି ରାୟଗଡ଼ା। କେନ୍ଦ୍ର ସରକାରଙ୍କ ଆଂକାକ୍ଷା ଜିଲ୍ଲା ଯୋଜନା ତାଲିକାରେ ଥିବା ୧୧୨ ଜିଲ୍ଲା ମଧ୍ୟରୁ ରାୟଗଡ଼ା ସର୍ବଭାରତରେ ୫ମ ସ୍ଥାନରେ ରହିଛି। କେବଳ ଏତିକି ନୁହେଁ ବାର୍ଷିକ ଯୋଜନା ରୂପାୟନ କ୍ଷେତ୍ରରେ କେନ୍ଦ୍ରର ଟପ୍ ଟ୍ବେଣ୍ଟି ତାଲିକାକୁ ରାୟଗଡ଼ା ଉନ୍ନତୀ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳ ସଂପଦ, ଆର୍ଥିକ ଅର୍ନ୍ତଭୁକ୍ତୀକରଣ, ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଜିଲ୍ଲାକୁ ଏହି ସଫଳତା ମିଳିଛି। ୨୦୨୨ ସୁଦ୍ଧା ରାୟଗଡ଼ାକୁ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଆଂକାକ୍ଷା ଯୋଜନାରେ ସାମିଲ୍ କରିଛନ୍ତି। ପ୍ରତି ମାସରେ ଜଣେ ଆଇପିଏସ୍ ରାଙ୍କର ନୋଡାଲ୍ ଅଧିକାରୀ ବିକାଶର ତଦାରଖ କରୁଥିବା ବେଳେ ରାଜ୍ୟସ୍ତରରେ ସମୀକ୍ଷା ହେଉଛି।

କରୋନା ମହାମାରୀର ମୁକାବିଲା ପାଇଁ ଲକଡାଉନ୍ ଚାଲିଥିବା ସତ୍ତ୍ବେ ୨୦୨୦ ଅକ୍ଟୋବର ମାସରେ ହୋଇଥିବା ସମୀକ୍ଷାରେ ରାୟଗଡ଼ା ଭଲ ପ୍ରଦର୍ଶନ କରିଥିବା ଜଣା ପଡିଛି। ପ୍ରତି ଯୋଜନାର ବିକାଶକୁ ମୂଲ୍ୟାୟନ ପାଇଁ ସରକାର ୧୦୦ ମାର୍କ ରଖିଥିବା ବେଳେ ଶିକ୍ଷାକ୍ଷେତ୍ରରେ ରାୟଗଡ଼ା ୩୦ ମାର୍କ ରଖିଛି। ପ୍ରାଥମିକରୁ ଉଚ୍ଚ ପ୍ରାଥମିକ, ଉଚ୍ଚ ପ୍ରାଥମିକରୁ ହାଇସ୍କୁଲକୁ ପରିବର୍ତ୍ତନ ହାରରେ ବୃଦ୍ଧି, ତୃତୀୟ, ପଞ୍ଚମ, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ଓ ଭାଷା ପ୍ରଦର୍ଶନରେ ଉନ୍ନତି, ୧୫ ବର୍ଷରୁ ଉର୍ଧ୍ବ ବାଳିକାଙ୍କ ଶିକ୍ଷାହାର ବୃଦ୍ଧି, ସ୍କୁଲରେ ବାଳିକା ଶୌଚାଳୟ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ସୁବିଧା, ଛାତ୍ର-ଶିକ୍ଷକ ଅନୁପାତ, ଶିକ୍ଷା ବର୍ଷ ଆରମ୍ଭରୁ ମାସକ ମଧ୍ୟରେ ପାଠ୍ୟ ପୁସ୍ତକ ଯୋଗାଣ, ହାଇସ୍କୁଲ ସ୍ତରରେ ସ୍କୁଲ୍ ବିଦ୍ୟୁତକରଣ କ୍ଷେତ୍ରରେ ରାୟଗଡ଼ାର ପ୍ରଦର୍ଶନ ସନ୍ତୋଷଜନକ ରହିଛି। ସ୍ବାସ୍ଥ୍ୟ ଓ ପୃଷ୍ଟିକର ଯୋଜନାରେ ମଧ୍ୟ ୧୦୦ରୁ ୩୦ ପ୍ରତିଶତ ମାର୍କ ରହିଛି। ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ପୃଷ୍ଟିକରଣ ଯୋଜନାରେ ଗର୍ଭବତୀଙ୍କ ସୁଷମ ଖାଦ୍ୟ ପ୍ରଦାନ, ହିମୋଗ୍ଲୋବିନ୍ ପରୀକ୍ଷା, ପ୍ରସବ ସମୟରେ ବାଳକ-ବାଳିକା ଅନୁପାତ, ମୋଟ ପ୍ରସବ ତୁଳନାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ହାର, ଜନ୍ମିତ ଶିଶୁଙ୍କର ଓଜନ ବୃଦ୍ଧି, ଅପପୃଷ୍ଟିରୁ ରକ୍ଷା, ୬ରୁ ୨୩ ମାସ ମଧ୍ୟରେ ଶିଶୁଙ୍କୁ ସ୍ତନ୍ୟପାନ୍ୟ ହାର ମଧ୍ୟ ବେଶ୍ ଭଲ ରହିଛି।

କୃଷି ଓ ଜଳ ସଂରକ୍ଷଣ କ୍ଷେତ୍ରରେ ୧୦୦ରୁ ୨୦ ମାର୍କ ରହିଛି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚିତ ଜମିର ପରିମାଣ, ମନରେଗାରେ ଜଳାଶୟର ପୁନଃନିର୍ମାଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଖରିଫ୍-ରବି ଚାଷରେ ଶସ୍ୟ ବୀମା, କୃଷି ଋଣ, ବିହନ ବଣ୍ଟନ, ଇଲୋକ୍ଟ୍ରୋନକିସ୍ ମାର୍କେଟ ସହ ମଣ୍ଡି ସଂଯୋଗୀକରଣ, ଧାନ, ଗହମର ସର୍ବନିମ୍ନ ସହାୟକ ମୂଲ୍ୟକରଣ, ଅଧିକ ଅମଳକ୍ଷମ ଫସଲର ବିହନ ରୋପଣ, ରବି-ଖରିଫରେ ମୁଖ୍ୟ ଫସଲର ଉତ୍ପାଦନ ପରିମାଣ ବୃଦ୍ଧି, ବିଭିନ୍ନ ପଶୁ, ପକ୍ଷୀଙ୍କୁ ଟୀକାକରଣ, ମୃର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ରାୟଗଡ଼ା। ଦକ୍ଷତା ବୃଦ୍ଧି ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ୧୦୦ରୁ ୫ ପ୍ରତିଶତ ମାର୍କ ରଖିଛି ରାୟଗଡ଼ା। ଦକ୍ଷତା ବୃଦ୍ଧିରେ ୧୫ରୁ ୨୯ ବର୍ଷର ଯୁବକ, ଯୁବତୀଙ୍କୁ ତାଲିମ୍ ପ୍ରଦାନ, ପୋର୍ଟାଲରେ ପଞ୍ଜିକରଣ ଅନୁଯାୟୀ ତାଲିମପ୍ରାପ୍ତ ଯୁବକ-ଯୁବତୀଙ୍କ ସଂଖ୍ୟାରେ ଅଭିବୃଦ୍ଧି, ସାଧାରଣ, ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଯୁବକ ଯୁବତୀଙ୍କୁ ତାଲିମ୍ ପ୍ରଦାନ ଆଶାଜନକ ରହିଛି।

ଆର୍ଥିକ ଅର୍ନ୍ତଭୁକ୍ତୀକରଣରେ ୧ ଲକ୍ଷ ଜନସଂଖ୍ୟା ଅନୁଯାୟୀ ମୁଦ୍ରା ଯୋଜନାରେ ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ୍ ଯୋଜନା, ବ୍ୟାଙ୍କ ଖାତା ଅନୁଯାୟୀ ଆଧାର ଲିଙ୍କ୍ ପରିମାଣ, ପ୍ରଧାନମନ୍ତ୍ରୀ ଧନଜନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିବା କ୍ଷେତ୍ରରେ ରାୟଗଡ଼ା ଅନ୍ୟ ଜିଲ୍ଲା ତୁଳନାରେ ଆଗରେ ରହିଛି। ସର୍ବନିମ୍ନ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୧୦୦ରୁ ୧୦ ପ୍ରତିଶତ ମାର୍କ ରହିଛି। ପ୍ରତି ଘରକୁ ବିଦ୍ୟୁତକରଣ, ଗ୍ରାମ ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ, ବସ୍ତି ଅଞ୍ଚଳକୁ ସବୁଦିନିଆ ରାସ୍ତା ନିର୍ମାଣ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଥିବା ମୋଟ ରାସ୍ତା ମଧ୍ୟରୁ ସବୁ ଦିନିଆ ରାସ୍ତାର ପରିମାଣ, ଗ୍ରାମାଞ୍ଚଳ/ବସ୍ତି ଇଲାକାକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗ୍ରାମ ପଞ୍ଚାୟତ ସ୍ତରରେ ଜନ ସୁବିଧା କେନ୍ଦ୍ର ନିର୍ମାଣ, ନିରାଶ୍ରୟ ଲୋକଙ୍କୁ ଆବାସ ଯୋଜନାରେ ପକ୍କା ଘର ନିର୍ମାଣରେ ବିକାଶ ଆଖିଦୃଶିଆ ହୋଇଛି।

ସମ୍ବନ୍ଧିତ ଖବର