ଦେଓଗାଁ ବ୍ଲକ୍‌ରେ ଓଡ଼ିଶା ବିଧାନସଭା ଗୃହ କମିଟି, ବିଦ୍ୟୁତ ଯୋଗାଣ ସମସ୍ୟା ସମାଧାନ ପାଇଁ ନିର୍ଦେଶ

ଦେଓଗାଁ: ବିଧାନସଭା ଗୃହ କମିଟି (ଶକ୍ତି ବିଭାଗ) ସଦସ୍ୟମାନେ ରବିବାର ଦେଓଗାଁ ବ୍ଲକ୍‌ର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସଭ୍ୟ ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ବ୍ଲକ୍‌ର ଜରାସିଂହା, କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁର ଜାମନଗର, କରୁଆଁଝର ଆଦି ଗାଁକୁ ଯାଇ ବିଦ୍ୟୁତ ଗ୍ରାହକଙ୍କ ସହ ଆଲୋଚନା କରିଥିଲେ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ଥିବା ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇ ନଥିବାରୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନ ବିଦ୍ୟୁତ ଯୋଗାଣରେ ଦେଖାଯାଇଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ବିଦ୍ୟୁତ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ପରିଦର୍ଶନରେ ସମୟରେ ଦେଓଗାଁ ବ୍ଲକ୍‌ ଅଧ୍ୟକ୍ଷା ରୀନା ମେହେର, ବିଡିଓ ମୁରଲୀଧର ନାଏକ, ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ବାଲ, ଜିଲ୍ଲା ପରିଷଦ ସଭ୍ୟ ସୁଶୀଳ ଚାନ୍ଦ, ପୂର୍ବ ବ୍ଲକ୍‌ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବିଧାୟକ ପ୍ରତିନିଧି କାନ୍ତେଶ୍ବର ପଧାନ, ଯୁବନେତା ପପୁ ପାତ୍ର, ଦେଓଗାଁ ସମିତି ସଭ୍ୟ ଜନ୍ମେଜୟ ସାହୁ, ପୂର୍ବ ବ୍ଲକ୍‌ କଂଗ୍ରେସ ସଭାପତି ଯୋଗେଶ୍ବର ସାହୁ, ସଂକୀର୍ତ୍ତନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର