ବିଜୁସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି

ଘୁ.ଉଦୟଗିରି: ସ୍ଥାନୀୟ ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରୁ ଘୁ. ଉଦୟଗିରିକୁ ସଂଯୋଗ କରୁଥିବା ଦଦଲାକୁଟିସ୍ଥିତ ସାଲୁଙ୍କି  ନାଳରେ ରାଜ୍ୟ ସରକାରଙ୍କ ତରଫରୁ ବିଜୁସେତୁ ଯୋଜନା ମାଧ୍ୟମରେ ସୁଉଚ୍ଚ ସେତୁ ନିର୍ମାଣ ପ୍ରକଳ୍ପର ମାନ୍ୟବର ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ କର କମଳରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉକ୍ତ ଜନ ହିତକର ଯୋଜନା ନିମନ୍ତେ ସରକାରଙ୍କ ତରଫରୁ ୬ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଏହି ସେତୁ ନିର୍ମାଣ ହେବା ପରେ ଅଞ୍ଚଳବାସୀଙ୍କ ନିମନ୍ତେ ମୁଖ୍ୟତଃ ସ୍ଵାସ୍ଥ୍ୟ ସେବା ସରଳ ହେବା ସହ ଅନ୍ୟ ସମସ୍ତ କାର୍ଯ୍ୟ ସାଧନ ହେବା ସହ ସ୍ଥାନୀୟ ଅଞ୍ଚଳବାସିଙ୍କ ବହୁ ଦିନର ଆଶା ପୂରଣ ହେବାକୁ ଯାଉଥିବା କହିଛନ୍ତି ଅଞ୍ଚଳବାସୀ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ସାଧବାଣୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଉପାଧ୍ୟକ୍ଷ ଏନ ଲୁକ୍, ସ୍ଥାନୀୟ ସରପଞ୍ଚ ବିଷ୍ନୁ ଦେବ ପ୍ରଧାନ, ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀଙ୍କ ସମେତ ବହୁ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ। ଘୁ. ଉଦୟଗିରି ବିଧାୟକଙ୍କ ମାଧ୍ୟମରେ ଗ୍ରାମବାସୀଙ୍କ ତରଫରୁ ଉକ୍ତ ନାଳ ଠାରେ ଏକ ସେତୁ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କ ଆବଶ୍ୟକତାକୁ ହୃଦବୋଧ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସେତୁ ଯୋଜନା ମାଧ୍ୟମରେ ଉକ୍ତ ପ୍ରକଳ୍ପ ନିମନ୍ତେ ୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ସାମୁହିକ ବିକାଶ ପ୍ରତି କରୁଥିବା ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର