ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ କଲେକ୍ଟର: ୨ କୋଟିର ସମ୍ପତ୍ତି ଠାବ, ରାଉରକେଲାରେ ଦୁଇଟି କୋଠା, ଭୁବନେଶ୍ବରରେ ଫ୍ଲାଟ୍‌

ରାଉରକେଲା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ରାଉରକେଲା ଏଡିଏମ୍‌ ଅଫିସ୍‌ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ ହୋଇଛି। ଭିଜିଲାନ୍ସର ୫ଟି ଟିମ୍‌ର ୩୫ରୁ ଅଧିକ ଅଧିକାରୀ ଚଢ଼ଉ କରିଥିଲେ। ଚଢ଼ଉରେ ଜଣେ ଅତିରିକ୍ତ ଏସ୍‌ପି, ୪ ଡିଏସ୍‌ପି, ୫ ଇନ୍ସପେକ୍ଟର ସହ ଅନ୍ୟ ଅଧିକାରୀ ସାମିଲ ଥିଲେ। ଏକକାଳୀନ ରାଉରକେଲାର ଛେଣ୍ଡକଲୋନି କଳିଙ୍ଗବିହାରସ୍ଥିତ ଶ୍ରୀ ନାୟକଙ୍କ ଏମ୍‌ଆଇଜି -୨୭ ଓ ଏମ୍‌ଆଇଜି -୨୬୪ ଘର, ଭୁବନେଶ୍ବର ଗୋଠପାଟଣା ଆପାର୍ଟମେଣ୍ଟର ଥିବା ଫ୍ଲାଟ୍‌ ଓ ଯାଜପୁର କଳିଙ୍ଗନଗର ଧର୍ନୁଜୟପୁରରେ ଥିବା ତାଙ୍କ ଭାଇଙ୍କ ଘରେ ଓ ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଚାମ୍ବରରେ ଚଢ଼ଉ କରିଛନ୍ତି। ଚଢ଼ଉ ସକାଳ ୬ଟାରୁ ଅପରାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ ଜାରି ରହିଥିଲା।

ଚଢ଼ଉରେ ଭିଜିଲାନ୍ସ ଅଧିକାରୀମାନେ ମୋଟ୍‌ ୨ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି। ଏଥି ମଧ୍ୟରେ ରହିଛି କଳିଙ୍ଗବିହାରର ୧କୋଟି ୧୦ ଲକ୍ଷ ମୂଲ୍ୟର ଦୁଇଟି କୋଠା, ଭୁବନେଶ୍ବର ୫୦ ଲକ୍ଷରୁ ଅଧିକ ଟଙ୍କାର ଫ୍ଲାଟ୍‌, ଦୁଇଟି କାର୍‌, ଇନନ୍ୟୁରାନ୍ସ, ମ୍ୟୁଚ୍‌ଆଲ୍‌ ଫଣ୍ଡ, ନଗଦ ୨୮ ହଜାରରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର। ସେମାନେ ବିଭିନ୍ନ ବ୍ୟାଙ୍କ ଖାତା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ଏଡିଏମ୍‌ ଅଫିସ୍‌ରେ ଯୋଗଦେବା ପୂର୍ବରୁ ଶ୍ରୀ ନାୟକ ପାନପୋଷସ୍ଥିତ ଉପଖଣ୍ଡ ସରକାରୀ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହ ବିଭିନ୍ନ ସରକାରୀ ଡାକ୍ତରଖାନାରେ ୨୦ ବର୍ଷରୁ ଅଧିକ ସମୟ କିରାଣୀ ଭାବେ କାର୍ଯ୍ୟରତ ଥିଲେ। ପଦୋନ୍ନତି ପାଇବା ପରେ ପ୍ରଥମେ ରାଉରକେଲା ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଓ ପରେ ରାଉରକେଲା ଏଡିଏମ୍‌ ଅଫିସ୍‌କୁ ଆସିଷ୍ଟାଣ୍ଟ କଲେକ୍ଟର ହୋଇ ଆସିଥିଲେ। ଶ୍ରୀ ନାୟକ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ, ଭିଜିଲାନ୍ସ ଅଧିକାରୀମାନେ ତା’ର ଖୋଳତାଡ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର