ସହକାରୀ ଦେବୋତ୍ତର କମିସନରଙ୍କ ଅଚାନକ ବାରିପଦା ଗସ୍ତ, ଶ୍ରୀହରିବଳଦେବ ଜୀଉ ମନ୍ଦିର ବୁଲି ଦେଖିଲେ

ସୂଚନା ସତ୍ତ୍ବେ ସହଯୋଗ କଲେନି ଦେବୋତ୍ତର ନିର୍ବାହୀ ଅଧିକାରୀ

ବାରିପଦା: ଓଡ଼ିଶା ଦେବୋତ୍ତର ବିଭାଗର ସହକାରୀ ଏଣ୍ଡୋମେଣ୍ଟ୍‌ କମିସନର ସୁମନ କୁମାର ଜେନା ଆଜି ଅଚାନକ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଗସ୍ତରେ ଆସିଥିଲେ। ଆଜି ସକାଳ ପ୍ରାୟ ୬.୪୫ ମିନିଟ୍‌ ସମୟରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ମନ୍ଦିର ପରିଦର୍ଶନ କରିବା ସହିତ ଏହାର ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଦେବୋତ୍ତର ବିଭାଗର ସହକାରୀ ଏଣ୍ଡୋମେଣ୍ଟ୍‌ କମିଶନର ଶ୍ରୀ ଜେନା ତାଙ୍କର ବାରିପଦା ଗସ୍ତ ସମୟରେ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳଙ୍କୁ ଉପସ୍ଥିତ ରହିବା ନିମନ୍ତେ ପୂର୍ବରୁ ସୂଚନା ଦେଇଥିଲେ। ମାତ୍ର ଶ୍ରୀ ଜେନାଙ୍କ ଗସ୍ତ ଅବସରରେ ବାରିପଦା ଦେବୋତ୍ତର ନିର୍ବାହୀ ଅଧିକାରୀ ଉପସ୍ଥିତ ନରହି କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ପଠାଇ ଥିଲେ। ଫଳରେ ସହକାରୀ ଏଣ୍ଡୋମେଣ୍ଟ୍‌ କମିଶନର ଶ୍ରୀ ଜେନା ଦେବୋତ୍ତର ବିଭାଗର ବିଭିନ୍ନ ଫାଇଲ ଅନୁଧ୍ୟାନ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ମୁଖ୍ୟ କିରାଣୀ କେବଳ ନୀରବଦ୍ରଷ୍ଟା ସାଜିବା ବିଷୟ ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାପଡ଼ିଛି । ଏହାକୁ ନେଇ ସହକାରୀ ଏଣ୍ଡୋମେଣ୍ଟ୍‌ କମିସନରଙ୍କ କାର୍ଯ୍ୟାଳୟକୁ ୨ୟ ଶ୍ରୀକ୍ଷେତ୍ର ବାରିପଦାର ବିକାଶ ନେଇ କୌଣସି ସକରାତ୍ମକ ସନ୍ଦେଶ ଯାଇନଥିବା ଚର୍ଚ୍ଚା ହୋଇଛି।

ତେବେ ମାନବିକ ଅଧିକାର କମିଶନ ବିଭାଗର ସ୍ଥାୟୀ ସଦସ୍ୟ ତଥା ଯୁବ ଆଇନଜୀବୀ ଅରବିନ୍ଦ ଦାସ ସହକାରୀ ଏଣ୍ଡୋମେଣ୍ଟ୍‌ କମିସନରଙ୍କ ଗସ୍ତ ସମ୍ପର୍କରେ ଜାଣିବା ପରେ ତାଙ୍କୁ ସାକ୍ଷାତ କରି ମୟୂରଭଞ୍ଜ ଜିଲ୍ଲାରେ ଦେବୋତ୍ତର ବିଭାଗରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଯେଉଁଥିରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଓ ମୟୂରଭଞ୍ଜ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବା ସମୟରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ତତ୍କାଳୀନ ମହାରାଜା ରାଜ୍ୟରେ ଥିବା ମଠ ଓ ମନ୍ଦିରରେ ଦରବାରୀ ଶାସନ ଅମଳରୁ ପ୍ରଚଳିତ ପୂଜା ପାର୍ବଣୀ ଆଦିରେ ଯେପରି ବିଘ୍ନ ନ ଘଟେ ସେଥି ନିମନ୍ତେ ସ୍ୱତନ୍ତ୍ର ଭାବେ ମଠ ମନ୍ଦିର ନାମରେ ଛାଡ଼ି ଦେଇ ଯାଇଥିବା ଅଚଳାଚଳ ସମ୍ପତ୍ତି ଦେବୋତ୍ତର ବିଭାଗର ଅପାରଗତା କାରଣରୁ କିପରି ହରିଲୁଟ ହୋଇଛି ସେ ସମ୍ପର୍କିତ କେତେକ ଦସ୍ତାବିଜ ସ୍ମାରକ ପତ୍ରରେ ସଂଲଗ୍ନ କରାଇଥିଲେ ।

ଏନେଇ ଶ୍ରୀ ଦାସ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସହକାରୀ ଏଣ୍ଡୋମେଣ୍ଟ୍‌ କମିସନର ତାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକୁ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାନେଇ ବିଶ୍ବାସ ଦେଇଥିବା ସୂଚନା ଦେଇଛନ୍ତି। ମହାପ୍ରଭୁ ନାବାଳକ ହୋଇଥିବା ବେଳେ ତାଙ୍କ ନାମରେ ଥିବା ସମ୍ପତ୍ତି ହସ୍ତାନ୍ତର ହୋଇ ପାରିବ ନାହିଁ ବୋଲି ଆଇନରେ ଉଲ୍ଲେଖ ରହିଥିବା ବେଳେ ଶ୍ରୀ ହରିବଳଦେବଜୀଉଙ୍କ ନାମରେ ଥିବା ସମ୍ପତ୍ତି ମଧ୍ୟରୁ କେତେକ ସମ୍ପତ୍ତି ସିଧାସଳଖ ଭାବେ ହସ୍ତାନ୍ତର ହେବା ସହ ତାର ଦାଖଲଖାରଜ ମଧ୍ୟ ହୋଇସାରିଛି । ଯାହାକି ପ୍ରଶାସନର ନଜରକୁ ଆସିନପାରିବା ସମାଲୋଚନାର ପ୍ରସଙ୍ଗ ପାଲଟିଥିବାବେଳେ ଦେବୋତ୍ତର ବିଭାଗ ଚୁପ୍‌ ବସିଥିବା ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ତେବେ ମହାପ୍ରଭୂଙ୍କ ନାମରେ ଥିବା ୪୩ ହଜାର ୮ ଶହ ଏକକରରୁ ଅଧିକ ସମ୍ପତ୍ତି କେଉଁଠି ରହିଛି ତାହାକୁ ନେଇ ଶ୍ରୀ ଦାସ ପ୍ରଶ୍ନ ଉଠାଇଛନ୍ତି ।

ସମ୍ବନ୍ଧିତ ଖବର