ବିଲ କରାଇବାକୁ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଜ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ବାଲେଶ୍ୱର: ଏକ କୋଟି ଟଙ୍କାର ନିର୍ମାଣ କାମର ବିଲ କରାଇ ଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁ ଏକ ବିଲ ପାସ କରାଇ ଦେବା ପାଇଁ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କମରପୁର ଗାଁର ଠିକାର ସନ୍ତୋଷ କୁମାର ନାୟକଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ମିଳିଲେ ବିଲ ପାସ ହେବ ନ ହେଲେ ଅଟକି ଯିବ ବୋଲି ସନ୍ତୋଷଙ୍କୁ କହିଥିଲେ। ଏହା ପରେ ସନ୍ତୋଷ କନିଷ୍ଠ ଯନ୍ତ୍ରୀଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ। କିନ୍ତୁ ଲାଞ୍ଚ ଟଙ୍କା ଦେବା ପୂର୍ବରୁ ସେ ମନେ ମନେ ଏକ ଯୋଜନା କରି ନେଇଥିଲେ।

ତେବେ କନିଷ୍ଠ ଯନ୍ତ୍ରୀ ବାସୁଦେବଙ୍କ ଦାବିକୁ ସନ୍ତୋଷ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଏହା ପରେ ବାସୁଦେବଙ୍କୁ ପାନେ ଦେବା ପାଇଁ ଭିଜିଲାନ୍ସ ବିଭାଗ ତରଫରୁ ଯୋଜନା ପ୍ରସ୍ତୁତ ହେଲା। ଆଜି ନିଜ କାର୍ଯ୍ୟାଳୟରେ ବାସୁଦେବ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୨ ଲକ୍ଷ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

ତେବେ ଭିଜିଲାନ୍ସ ବିଭାଗ କନିଷ୍ଠ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁଙ୍କୁ ସରୋସ୍ଥିତ ବାସଭବନ, ଭଦ୍ରକସ୍ଥିତ ସରକାରୀ ବାସଭବନ ଓ ଭଦ୍ରକ ସଦର ଥାନା ଅନ୍ତର୍ଗତ ଗୁଜିଦରଦ ଗାଁରେ ଚଢ଼ାଉ ପହଞ୍ଚି ତଦନ୍ତ କରିଛି। ଏଥି ସହ ଅଭିଯୁକ୍ତ ଅଭିଯନ୍ତ୍ରୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର