୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀ

ନୂଆପଡ଼ା: ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀ ସଂଯୋଗ ମେହେର ଆଜି ଖରିଆର ରୋଡ଼ସ୍ଥିତ  ନିଜ ସରକାରୀ ବାସଭବନରେ  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ କୋରାପୁଟ ଡିଭିଜନର ଏକ ଦଳ ଖରିଆର ରୋଡ଼ ଉପରେ ଆଜି ଅତର୍କିତ ଭାବେ ଚଢ଼ାଉ କରି ଶ୍ରୀ ମେହେରଙ୍କୁ ଗିରଫ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଗୋହିରାପଦର ଗ୍ରାମଠାରେ ଏକ ପେଟ୍ରୋଲ ପମ୍ପ ଖୋଲିବା ନେଇ ସୁଶାନ୍ତ କୁମାର କୋଲହାର ନାମକ ବ୍ୟକ୍ତି ଆବେଦନ କରିଥିଲେ । ତାଙ୍କ ପେଟ୍ରୋଲ ପମ୍ପ ଜାତୀୟ ରାଜପଥ କଡ଼ରେ ଖୋଲିବାକୁ ଥିବା କାରଣରୁ ସହକାରୀ ଯନ୍ତ୍ରୀଙ୍କ ଏକ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବାର ଥିଲା । ଏହି ଅନୁଧ୍ୟାନ ରିପୋର୍ଟ ଦେବା ଦେବାପାଇଁ ଯନ୍ତ୍ରୀ ଶ୍ରୀ ମେହେର ୧ ଲକ୍ଷ ଟଙ୍କା ଦାବି କରିଥିଲେ । କିନ୍ତୁ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା ।

ପୂର୍ବ ନିର୍ଦ୍ଧାରିତ ଅର୍ଥ ନେଇ ସୁଶାନ୍ତ ଆଜି ଯନ୍ତ୍ରୀ ଶ୍ରୀ ମେହେରଙ୍କ ବାସ ଭବନରେ ପହଞ୍ଚିଥିଲେ । ଯନ୍ତ୍ରୀ ଶ୍ରୀ ମେହେରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେବାର ଅଳ୍ପ ସମୟ ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ସେଠାକୁ ପହଞ୍ଚିଥିଲେ । ଭିଜିଲାନ୍ସ ଚଢ଼ାଉ ଜାଣିବା ପରେ ଶ୍ରୀ ମେହେର ଛାନିଆ ହୋଇଯାଇଥିଲେ । ରାସାୟନିକ ପଦାର୍ଥ  ମିଶ୍ରିତ ଟଙ୍କାକୁ ଲୁଚାଇବା ପାଇଁ ସେ ଚେଷ୍ଟା କରିଥିଲେ ।  ପରେ କରୋନା ହୋଇଛି କହି ଛେପ ମଧ୍ୟ ପକାଇଥିଲେ । କିନ୍ତୁ ଏହି ସବୁ ଅଭିନୟରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଡରିଯାଇ ନଥିଲେ । ଶ୍ରୀ ମେହେରଙ୍କୁ ଭବାନୀପାଟଣାସ୍ଥିତ ଭିଜିଲାନ୍ସ କୋର୍ଟରେ ଦାଖଲ କରାଯିବ ବୋଲି ନୂଆପଡା ଡ଼ିଏସପି ସତ୍ୟବାନ ମହନନ୍ଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର