କୁଡୁତୁଲି ସ୍କୁଲ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା: ସହକାରୀ ଶିକ୍ଷକ ନିଲମ୍ବିତ, ଅଭିଯୋଗକାରିଣୀଙ୍କୁ ଅନ୍ୟତ୍ର ବଦଳି

ଫୁଲବାଣୀ: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଳକ କୁଡୁତୁଲି ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଶିକ୍ଷୟିତ୍ରୀ ସୁନିତା ପ୍ରଧାନଙ୍କୁ ନିର୍ଯାତନା ଦେବା ଘଟଣାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସ୍କୁଲର ସହକାରୀ ଶିକ୍ଷକ ସଦାଶିବ ବେହେରାଙ୍କୁ ବ୍ଳକ ଶିକ୍ଷା ଅଧିକାରୀ ଚିତ୍ତରଂଜନ ତ୍ରିପାଠୀ ନିଲମ୍ବିତ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀ ସୁନିତା ପ୍ରଧାନଙ୍କୁ ଜିଲ୍ଲାପାଳ ଡାମେରିକିଆ ଉଚ୍ଚପ୍ରାଥମିକ ସ୍କୁଲକୁ ବଦଳି କରିଛନ୍ତି। ସ୍କୁଲର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ କ୍ରୀଡା ଶିକ୍ଷକ ସୁଶାନ୍ତ ବଳିଆରସିଂ ବିଭିନ୍ନ ନିର୍ଯାତନା ଦେଉଥିଲେ ବୋଲି ଶ୍ରୀମତୀ ପ୍ରଧାନ ଅଭିଯୋଗ କରିଥିଲେ। ଏ ନେଇ ଗତ ମାସ ୨୫ ତାରିଖରେ ସେ କେ.ନୂଆଗାଁ ଥାନାରେ ୩ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରି ସ୍କୁଲକୁ ଯାଇ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ସମ୍ପର୍କରେ ପଚାରି ବୁଝିବା ସହ ତଦନ୍ତ ଆରମ୍ଭ କରିଥିଲା। ହେଲେ ପୁଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଥିଲା କୁଇ ସମାଜ। କୁଇ ସମାଜ ପକ୍ଷରୁ ପ୍ରଧାନଶିକ୍ଷକ ଓ ଅନ୍ୟ ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ୧୨ ତାରିଖରେ ଶୋଭାଯାତ୍ରା ସହ ଥାନା ଘେରାଉ କରାଯାଇଥିଲା। ଏହାକୁ ନେଇ ପୁଣି ଆନ୍ଦୋଳନକୁ ବ୍ୟାପକ କରିବାକୁ କୁଇ ସମାଜ ସଜବାଜ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସହକାରୀ ଶିକ୍ଷକ ଶ୍ରୀ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପ୍ରଧାନଶିକ୍ଷକ ଓ କ୍ରୀଡା ଶିକ୍ଷକଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି ତାହା ଦେଖବାର କଥା।

ସମ୍ବନ୍ଧିତ ଖବର