କାଠ ଆସିବ, ସବୁ ସହଯୋଗ ବି ରହିବ ନେଇ ମିଳିତ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଲା ପ୍ରଶାସନ

ବାରିପଦା: କରୋନା ମହାମାରୀ ପାଇଁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ୨ବର୍ଷ ହୋଇ ପାରିନାହିଁ। ତେବେ କଟକଣା ଉଠିବା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବା ଆଶା ଉଜ୍ଜୀବିତ ହୋଇଛି। ତେବେ ଅକ୍ଷୟ ତୃତୀୟାରେ ଅଖଚକ ଲାଗିବା ବିଧି ରହିଥିବା ବେଳେ ଏଯାଏ ନୂଆ କାଠ ଆସି ପାରିନାହିଁ। ଫଳରେ ଏଥର ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥ ଗଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ବାରିପଦା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଓକିଲ ସଂଘ, ଭଞ୍ଜସେନା ସମେତ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗଠିତ ପ୍ରତିନିଧି ଦଳ ଉପଜିଲ୍ଲାପାଳ ଅନ୍ୟା‌ ଦାସଙ୍କୁ ଭେଟି ଏ ନେଇ ଆଲୋଚନା କରିଥିଲେ।

ତେବେ ଚଳିତବର୍ଷ ରଥଯାତ୍ରା ସୁରୁଖୁରୁରେ ହେବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ରଥ ନିର୍ମାଣ ପାଇଁ କାଠ ଯୋଗାଇ ଦିଆଯିବ, ରଥ ନିର୍ମାଣରେ ନି‌‌‌ୟୋଜିତ କାରିଗରମାନଙ୍କ ପାଇଁ ଅସ୍ଥାୟୀ ଟେଣ୍ଟ, ପାନୀୟ ଜଳଯୋଗାଣ, ଲାଇଟ୍, ଫ୍ୟାନ ସହିତ ଅନ୍ୟାନ୍ୟ ସବୁ ସୁବିଧା ପ୍ରଶାସନ ପକ୍ଷରୁ ଶୀଘ୍ର ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ପ୍ରତିନିଧି ଦଳରେ ବାରିପଦା ଓକିଲ ସଂଘ ସଭାପତି ପ୍ରଦୀପ ରଥ, ସମ୍ପାଦକ ବିପ୍ଳବ ବାରିକ, ଈଶ୍ୱର ଦାସ, ଉମେଶ ସାହୁ, ସତ୍ୟସ୍ୱରୂପ ଦାଶ, ଟୁନା ଆଚାର୍ଯ୍ୟ, ନିମାଇଁ ତ୍ରିପାଠୀ, ଶିବୁ ରଣା, ଜ୍ୟୋତିପ୍ରକାଶ ପାତ୍ରଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

ସମ୍ବନ୍ଧିତ ଖବର