ବ୍ରହ୍ମଗିରି: ୩ ମାସ ତଳେ ଚୋରି ଅଷ୍ଟଧାତୁ ନିର୍ମିତ ଲକ୍ଷ୍ମୀ ନୃସିଂହ ମୂର୍ତ୍ତି ଉଦ୍ଧାର

ବ୍ରହ୍ମଗିରି: ପ୍ରାୟ ୩ ମାସ ତଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେଣ୍ଢା ଗ୍ରାମରୁ ନୃସିଂହମନ୍ଦିରରୁ ଚୋରି ହୋଇଯାଇଥିବା ଅଷ୍ଟ ଧାତୁ ନିର୍ମିତ ଲକ୍ଷ୍ମୀ ନୃସିଂହ ମୂର୍ତ୍ତି ଆଜି ମନ୍ଦିର ପାଚେରି କଡ଼ରୁ ଏକ ବ୍ୟାଗ୍‌ ଭିତରୁ ଉଦ୍ଧାର କରାଯାଇଛି। ମନ୍ଦିରରୁ ଚୋରି କରିଥିବା ଦୁର୍ବୃତ୍ତମାନେ ମୂର୍ତ୍ତିକୁ ଗତକାଲି ରାତିରେ ପକାଇ ଦେଇଥିବା ଅନୁମାନ କରାଯାଉଛି। ଆଜି ସକାଳେ କେତେକ ସ୍କୁଲ ପିଲା ମନ୍ଦିର ପାଚେରି କଡ଼ରେ ପଡ଼ିଥିବା ଏକ ବ୍ୟାଗ୍‌କୁ ଦେଖି ଗାଁ ଲୋକଙ୍କୁ ଡାକିଥିଲେ। ପରେ ମନ୍ଦିର କର୍ତ୍ତୃପକ୍ଷ ସେଠାରେ ପହଞ୍ଚି ମୂର୍ତ୍ତିକୁ ନେଇ ମନ୍ଦିରକୁ ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁଆରି ୮ ତାରିଖ ରାତିରେ ରେଣ୍ଢା ଗାଁରେ ଥିବା ଲକ୍ଷ୍ମୀ ନୃସିଂହ ମନ୍ଦିରରୁ ଦୁର୍ବୃତ୍ତମାନେ ୫ଶହ ବର୍ଷ ତଳର ଅଷ୍ଟଧାତୁ ନିର୍ମିତ ଲକ୍ଷ୍ମୀ ନୃସିଂହ ମୂର୍ତ୍ତି, ରାଧାକୃଷ୍ଣ ମୂର୍ତ୍ତି ଓ ପତିତପାବନ ମୂର୍ତ୍ତି ସହିତ ପ୍ରାୟ ୩ଶହ ଗ୍ରାମର ଓଜନର ସୁନା ଅଳଙ୍କାର ଓ ୧୦ କେଜି ଓଜନର ରୁପା ଆଭା ଚୋରି କରି ନେଇଥିଲେ। ଏ ନେଇ ଜାନୁଆରି ୯ ତାରିଖ ଦିନ ଜଣାପଡ଼ିବା ପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଏ ନେଇ ପୁଲିସ ତଦନ୍ତ କରିଥିଲେ ମଧ୍ୟ ଚୋରି ସାମଗ୍ରୀର କୌଣସି ସୂଚନା ପାଇ ନ ଥିଲା। ତେବେ ରହସ୍ୟଜନକଭାବେ ଆଜି ସକାଳୁ ଏକ ଜରି ବ୍ୟାଗ୍‌ ଭିତରେ ପଶିଥିବା ଲକ୍ଷ୍ମୀ ନୃସିଂହ ଓ ରାଧା କୃଷ୍ଣ ମୂର୍ତ୍ତିକୁ ନୃସିଂହ ମନ୍ଦିର ପାଚେରି କଡ଼ରେ ରଖାଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର