ସମୁଦ୍ର ମଝିରେ ବୁଡି ଗଲା ଟ୍ରଲର; ଛାତିଥରା ଦୃଶ୍ୟ ବଖାଣିଲେ ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀ

ପୁରୀ: ଅସ୍ତରଙ୍ଗ-୨ ନାମକ ମାଛଧରା ଟ୍ରଲରରେ ସମୁଦ୍ରରୁ ମାଛଧରି ଫେରୁଥିଲେ ମତ୍ସ୍ୟଜୀବୀ । ଦେବୀମୁହାଁଣ ଦେଇ ଫେରୁଥିବାବେଳେ ଟ୍ରଲର ଫାଟି ଯିବାରୁ ତା’ ଭିତରେ ପାଣି ପଶିବାକୁ ଲାଗିଲା । ପାଣି ଅଟକାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ସଫଳ ହୋଇ ନଥିଲେ ମତ୍ସ୍ୟଜୀବୀ । ଆଉ ଟ୍ରଲର ଧିରେ ଧିରେ ବୁଡିବାକୁ ଲାଗିଥିଲା । ଏହି ଟ୍ରଲର ଭିତରେ ଥିବା ସମସ୍ତ ମତ୍ସ୍ୟଜୀବୀ ଭାବିଥିଲେ ମୃତ୍ୟୁ ସୁନିଶ୍ଚିତ । ଏହା ସତ୍ତ୍ୱେ ବି ସାମୁଦ୍ରିକ ଥାନା ଓ ଟ୍ରଲର ମାଲିକଙ୍କୁ ଯୋଗାଯୋଗ କରିଥିଲେ ମତ୍ସ୍ୟଜୀବୀ । କିନ୍ତୁ କେହି ସେମାନଙ୍କ କଥା ଶୁଣି ନଥିଲେ । ଶେଷରେ ସହାୟତା ଆଶାରେ ଡିଜେଲ କପଡାରେ ନିଆଁ ଲଗାଇ ଉପରକୁ ଟେକି ଧରିଥିଲେ ।

ସମୁଦ୍ର ମଝିରେ ନିଆଁ ହୁଳା ଦେଖି ଦେବଦୂତ ସାଜି ସେମାନଙ୍କ ନିକଟକୁ କିଛି ମାଛ ଧରାଳି ପହଞ୍ଚିଥିଲେ ଓ ସେମାନଙ୍କୁ ଉଦ୍ଧାର କରି କୂଳରେ ଆଣିଥିଲେ । ସେତେବେଳକୁ ଟ୍ରଲରର ଅଶୀ ଭାଗ ବୁଡିଯାଇଥିଲା । ଦେବୀ ମୁହାଁଣରେ ଦୀର୍ଘ ୫ ଘଣ୍ଟା ଧରି ମୃତ୍ୟୁକୁ ଅତି ପାଖରୁ ଦେଖିଥିବା ସାତଜଣ ମତ୍ସ୍ୟଜୀବୀ କେବେ ବି ଭାବି ନଥିଲେ, ସେମାନେ ଜୀବନ ବଞ୍ଚାଇ ଫେରିଆସିବେ। ଆଉ ନିଜ ଆତ୍ମୀୟ ସ୍ୱଜନଙ୍କୁ ଭେଟିପାରିିବେ । ଉଦ୍ଧାର ପାଇବା ପରେ କ୍ୟାମେରା ଆଗରେ ସେହି ଛାତିଥରା କାହାଣୀ ବଖାଣିଛନ୍ତି ସେହି ଟ୍ରଲରରେ ଥିବା ମତ୍ସ୍ୟଜୀବୀ।

ସମ୍ବନ୍ଧିତ ଖବର