ଅନୁଗୁଳ : ବିଜେଡି ଗଠନ ହେବାପରଠାରୁ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଦଳ କେବେ ବି ହାରିନି। କିନ୍ତୁ ଦଳ ବଦଳୁ ନ ଥିଲେ ମଧ୍ୟ ଏଠାରେ ବାରମ୍ବାର ନେତା ବଦଳିଛନ୍ତି। ଅନ୍ୟ ଆସନ ପରି ଏଠାରୁ କୌଣସି ନେତାଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ଭରସା କରିପାରିନି। ଏପରିକି ଦୁଇ ଦୁଇ ଥର ବିଧାୟକଙ୍କ ଟିକେଟ୍ କାଟି ଅନ୍ୟ ଜଣଙ୍କୁ ଟିକେଟ୍ ଦେଇଛି ଦଳ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲାବେଳେ ବିଜେଡି ପୁଣି ଏହି ପୁରୁଣା ଫର୍ମୁଲା ଆପଣେଇବ ନା ବିଧାୟକଙ୍କ ଉପରେ ଆଉଥରେ ଭରସା କରିବ ତାକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଗଲାଣି। ଏହି ଆସନ ପାଇଁ ବିଜେଡିର ବରିଷ୍ଠ ନେତା ନଳିନୀ ପ୍ରଧାନଙ୍କ ସମେତ ଏକାଧିକ ନେତାଙ୍କ ନାମ ଚର୍ଚ୍ଚାରେ ଥିବାରୁ ଗଣିତ ବି ପୂରା ଗୋଳିଆ ହେବାରେ ଲାଗିଛି।
ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସଂଗଠନ ସଜାଡ଼ିବାଠାରୁ ଆରମ୍ଭ କରି ପ୍ରାର୍ଥୀ ଖୋଜିବା କାମ ଭିତରେ ଭିତରେ ଚାଲିଛି। ଆଉ ଏହି ସମୟରେ ବିଜେଡିରେ ମାଳ ମାଳ ନେତା ବିଧାୟକ ଟିକେଟ୍ ନେବାକୁ ଲବି ଆରମ୍ଭ କରିଦେଲେଣି। ସ୍ଥିତି ଏମିତି ଯେ କର୍ମୀ କାହା ପାଖରେ ରହିବେ ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି। ୨୦୦୦ ମସିହାଠାରୁ ଏହି ଆସନ ବିଜେଡିର ଗଡ଼ ହୋଇ ରହିଥିବାରୁ ସ୍ବାଭାବିକ ଭାବେ ଅଧିକ ଆଶାୟୀ ଏହି ଦଳରୁ ଅଛନ୍ତି। ବିଜେଡି ୨୦୦୦ରେ ଏଠାରେ ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା। ସେ ସେତେବେଳ ଦଳକୁ ନିରାଶ କରି ନ ଥିଲେ। ୨୦୦୪ରେ ମଧ୍ୟ ସେ ଟିକେଟ ପାଇ ବିଧାନସଭାକୁ ଯାଇଥିଲେ। ମନ୍ତ୍ରୀ ବି ହୋଇଥିଲେ। କିନ୍ତୁ ହଠାତ୍ ୨୦୦୯ରେ ଏହି ଆସନରୁ ତାଙ୍କୁ ଦଳ ଆଉ ଟିକେଟ୍ ଦେଇ ନ ଥିଲା। ତାଙ୍କ ସ୍ଥାନରେ ସଂଜୀବ ସାହୁ ଟିକେଟ୍ ପାଇ ବିଜୟୀ ହୋଇଥିଲେ। ବିଭିନ୍ନ ଆଶଙ୍କା ସତ୍ତ୍ବେ ୨୦୧୪ରେ ତାଙ୍କ ଟିକେଟ ସୁରକ୍ଷିତ ରହିଲା। କିନ୍ତୁ ୨୦୧୯ରେ ଦଳ ତାଙ୍କ ଉପରେ ଆଉ ଭରସା କରି ନ ଥିଲା। ରାଜନୀତିରେ ବିଲ୍କୁଲ ନ ଥିବା ରମେଶ ସାଏଙ୍କୁ ଆଣି ଆଠମଲ୍ଲିକରେ ଟିକେଟ୍ ଦିଆଯାଇଥିଲା। ସେ ମଧ୍ୟ ରେକର୍ଡ ଭୋଟ୍ରେ ବିଜୟୀ ହୋଇଥିଲେ। ନେତା ବଦଳୁଥିଲେ ମଧ୍ୟ ଭୋଟ୍ କମୁ ନଥିବାରୁ ଏହା ବିଜେଡି ପାଇଁ ଏକ ସୁରକ୍ଷିତ ଆସନ ବୋଲି କୁହାଯାଉଛି। ଆଉ ଏଥିପାଇଁ ଏହି ଆସନ ଉପରେ ଏକାଧିକ ନେତାଙ୍କ ନଜର। ଏବେ ବିଧାୟକ ଥିବା ରମେଶ ସାଏ ପୁଣି ଥରେ ଦଳୀୟ ଟିକେଟ୍ ପାଇବେ ବୋଲି ଆଶା ରଖିଛନ୍ତି। ଦଳର ସଂଗଠନ ତାଙ୍କ ପାଖରେ ରହିଥିଲାବେଳେ ବିଭିନ୍ନ ଅଞ୍ଚଳ ବୁଲି ଜନସଂପର୍କ ବଢ଼ାଇବାରେ ଲାଗିଛନ୍ତି।
ରମେଶଙ୍କ ରାସ୍ତାରେ ବାଧକ ସାଜିଛନ୍ତି ବରିଷ୍ଠ ନେତା ନଳିନୀ ପ୍ରଧାନ। ବିଜେଡି ମହଲରେ ଚର୍ଚ୍ଚା ହେଉଛି ଯେ ଖୋଦ୍ ନଳିନୀ ଏଥର ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ୨୦୧୯ରେ ସେ ସମ୍ବଲପୁର ସାଂସଦ ଭାବେ ଲଢ଼ି ଅଳ୍ପ ଭୋଟ୍ରେ ହାରିଥିଲେ। ଆଉ ସାଂସଦ ପ୍ରାର୍ଥୀ ହେବାକୁ ସେ ମଙ୍ଗୁ ନାହାନ୍ତି। ଆଠମଲ୍ଲିକ ବିଧାନସଭା ଖଣ୍ଡରେ ସେ ନୀତେଶ ଗଙ୍ଗଦେବଙ୍କଠାରୁ ବହୁ ଭୋଟରେ ଆଗୁଆ ଥିଲେ। ଯେହେତୁ କିଶୋରନଗର ହେଉଛି ତାଙ୍କ ପୈତୃକ ଘର ତେଣୁ ଆଠମଲ୍ଲିକରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ସେ ଅଧିକ ଆଶାୟୀ ବୋଲି ତାଙ୍କ ପାଖ ଲୋକମାନେ କହୁଛନ୍ତି। ଯଦିଓ ସେ ସିଧାସଳଖ ମଇଦାନକୁ ଓହ୍ଲାଇ ନାହାନ୍ତି ତଥାପି ତାଙ୍କ ସମର୍ଥକମାନେ ସମାନ୍ତରାଳ ସଂଗଠନ କରି ବିଧାୟକଙ୍କୁ ଅସହଯୋଗ କରୁଛନ୍ତି। ଆଠମଲ୍ଲିକ ଓ କିଶୋରନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ଓ ଆଠମଲ୍ଲିକ ଏନ୍ଏସି ଅଧ୍ୟକ୍ଷା କିଛି ମାସ ହେଲା ବିଧାୟକଙ୍କ କାର୍ଯ୍ୟକ୍ରମକୁ ଯାଉନାହାନ୍ତି। ସେମାନେ ଦଳର ବିଭିନ୍ନ କାର୍ଯ୍ୟକୁ ସମାନ୍ତରାଳ ଭାବେ କରୁଛନ୍ତି। ବିଜୁ ଜୟନ୍ତୀ ଓ ବିଜୁ ତିରୋଧାନ ଦିବସ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଭିନ୍ନ ଭିନ୍ନ ଜାଗାରେ ପାଳିତ ହେବା ପରେ ସଂଗଠନ ଏବେ ଦୁଇଫାଳ ହୋଇଯାଇଥିବା ସ୍ପଷ୍ଟ ହୋଇଛି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଛାମୁଆଁ ନେତାମାନେ ଏହାକୁ ସ୍ବୀକାର ମଧ୍ୟ କରୁଛନ୍ତି।
ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଦୁଇ ନେତା ସେମାନଙ୍କ ସମର୍ଥକ ବଢ଼ାଇବାକୁ ପ୍ରତିନ୍ଦ୍ବନ୍ଦ୍ବିତା ଚଳାଇଥିଲା ବେଳେ କର୍ମୀମାନେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଉପରୁ କିଛି ସ୍ପଷ୍ଟ ନିର୍ଦେଶ ନ ଥିବାରୁ ସେମାନେ କାହା ସହିତ ରହିବେ ଜାଣି ପାରୁନାହାନ୍ତି। ଜଣେ ନେତାଙ୍କ ପାଖକୁ ଗଲେ ଆଉ ଜଣେ ରାଗୁଛନ୍ତି ବୋଲି ଅଭିଯୋଗ ହେଉଛି। ଆଗରୁ ନଳିନୀ-ରମେଶ ସଂପର୍କ ଅତି ମଧୁର ଥିବାବେଳେ ଏବେ ତିକ୍ତତା ପାଇଁ ଆଠମଲ୍ଲିକ ରାଜନୈତିକ ପାଣିପାଗ ଗୋଳିଆ ହୋଇଯାଇଛି। ଏପଟେ ଏହି ଦୁଇ ନେତାଙ୍କ ବିବାଦ ଭିତରେ ବିଜେଡି ଟିକେଟ ପାଇଁ ଆଉ କିଛି ନେତା ମୁଣ୍ଡ ଟେକିଲେଣି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ କର୍ଣ୍ଣ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁଃଶାସନ ରାଉଳ, ଯୁବନେତା ପ୍ରକାଶ ଡାଙ୍ଗ, ଅର୍ଜୁନ ସାହୁ ପ୍ରମୁଖ ବିଜେଡି ଟିକେଟ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ଆଠମଲ୍ଲିକ ବିଜେଡି ରାଜନୀତି ଗରମ ହେବାରେ ଲାଗିଥିଲାବେଳେ ଆଗକୁ ଏହା ଅଧିକ ରୋଚକ ହେବ ବୋଲି ଅନୁମାନ କରାଯାଉଛି।