ଦୁଇ କାର ମୁହାଁମୁହିଁ ଧକ୍କା: ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ବନ୍ତଳା ନିକଟରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଇନୋଭା ସହ ଅନ୍ୟ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଟିଯାକ କାରକୁ ବଡ଼ କ୍ଷତି ପହଞ୍ଚିଛି। ମାତ୍ର ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବିଧାୟକ ରମେଶ ସାଏ। ବିଧାୟକଙ୍କ ବ୍ୟତୀତ ୨ଟି କାରରେ ଯାତ୍ରୀ ଥିବା ଅନ୍ୟ ୪ ଜଣ ବ୍ୟକ୍ତି ମଧ୍ୟ ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ ବିଧାୟକ ଶ୍ରୀ ସାଏ ନିଜର ଇନୋଭା (ଓଡ଼ି ୦୨ବିଡି-୪୩୨୧)ରେ ଭୁବନେଶ୍ୱରରୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଫେରିବା ବାଟରେ ବନ୍ତଳା ପେଟ୍ରୋଲ ପମ୍ପ ପାଖରେ ଜରାଓରପୁରରେ ନିକଟରେ ଅପରାହ୍ନ ୩ଟା ୫ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଧାୟକଙ୍କ ଗାଡ଼ିରେ ବିଧାୟକ ରମେଶ ସାଏଙ୍କ ସମେତ ପିଏସ୍‌ଓ ରମାକାନ୍ତ ମାଝୀ ଓ ଚାଳକ ଭିକାରୀ ଚରଣ ନାଏକ।

ବିଧାୟକଙ୍କ କାରକୁ ସମ୍ବଲପୁରରୁ କଟକ ଅଭିମୁଖେ ଯାଉଥିବା ଏକ ବଲେନୋ କାର ମୁହାଁମୁହିଁ ଧକ୍କା ଦେଇଥିଲା। ବଲେନୋରେ ଧୀରେଶ କୁମାର ପ୍ରଧାନ ଓ ସୁମନ୍ତ ବାଗ ନାମରେ ଦୁଇ ଜଣ ଯୁବକ ବସିଥିଲେ। ଏମାନେ ସମ୍ବଲପୁର ଜିଲ୍ଲାର ହୀରାକୁଦ ଅଂଚଳର ବୋଲି ଜଣାପଡ଼ିଛି।

ଆଠମଲ୍ଲିକ ବିଧାୟକ ଶ୍ରୀ ସାଏଙ୍କ କାର ଦୁର୍ଘଟଣା ହେବା ଖବର ମିଳିବା ପରେ ବନ୍ତଳା ଥାନା ଆଇଆଇସି ପୁଲିଟ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାଗ୍ରସ୍ତ ୨ଟି କାରକୁ ସେ ଜବତ କରି ତଦନ୍ତ କରିଛନ୍ତି। ତେବେ ଉଭୟ ଗାଡ଼ି ଦ୍ରୁତ ଗତିରେ ଯାଉଥିବାରୁ ଏଥିରେ ଥିବା ଚାଳକ ଦ୍ୱୟ ନିୟନ୍ତ୍ରଣ କରି ନପାରିବାରୁ ଦୁର୍ଘଟଣା ଘଟିଥାଏପାରେ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର