ପୁଣି ଲୁଟେରା ଆତଙ୍କ, ଗୁଲ୍‌ନଗରରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ପଣ୍ତ

ମେସିନ୍‌ କଭର‌୍‌ ତାଡ଼ିଦେଲେ; ଟଙ୍କା ନେଇପାରିଲେନି, ସଦର ଥାନାରେ ଦୁଇ ଅଟକ

କେନ୍ଦ୍ରାପଡ଼ା: ଗତ କିଛି ଦିନର ନିରବତା ପରେ ପୁଣି ଲୁଟେରାଙ୍କ ଆତଙ୍କ ଆରମ୍ଭ ହୋଇଛି। ଏଥର ଏଟିଏମ୍‌ ମେସିନ୍‌କୁ ଟାର୍ଗେଟ୍‌ କରିଛନ୍ତି। ବୁଧବାର ରାତି ପ୍ରାୟ ସାଢେ଼ ୨ଟା ବେଳେ ୫ରୁ ଅଧିକ ଦୁର୍ବୃତ୍ତ ଗୁଲନଗରଠାରେ ଥିବା ଏସ୍‌ବିଆଇ ଏଟିଏମ୍‌ ମେସିନ୍‌ ତାଡ଼ି ଟଙ୍କା ଲୁଟ୍‌ ଉଦ୍ୟମ କରିଛନ୍ତି। ଏଟିଏମ୍‌ ମେସିନ୍‌ ଉପର କଭର‌୍‌ ତାଡ଼ି ଦେଇଥିଲେ ମଧୢ ଟଙ୍କା ଲୁଟିବାରେ ସଫଳ ହୋଇନାହାନ୍ତି। ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର‌୍‌ ଥିବା ସଦର ଥାନାଧିକାରୀ ପବିତ୍ର ମହାରଣା ସୂଚନା ଦେଇଛନ୍ତି। ଗତ ଦୁଇ ତିନି ମାସ ହେବ ଘନଘନ ଡକାୟତି ଓ ଚୋରି କେନ୍ଦ୍ରାପଡ଼ା ପୁଲିସର ନିଦ ହଜାଇ ଦେଇଥିଲା। ସଦର ଥାନାଠୁ ଆରମ୍ଭ କରି ତନ୍ତିଆପାଳ, ନିକିରାଇ, ଆଳି, ପଟ୍ଟମୁଣ୍ତାଇ, ରାଜକନିକା ଆଦି ଥାନା ଅ˚ଚଳରେ ଅପରାଧୀ ମାନେ ଗୋଟିଏ ପରେ ଗୋଟିଏ ଡକାୟତି ଓ ଚୋରି ଘଟଣାକୁ ସଫଳ ରୂପ ଦେଇ ପୁଲିସକୁ ଖୋଲା ଚାଲେଞ୍ଜ୍‌ ଫିଙ୍ଗିଥିଲା। ଅବଶ୍ୟ ସଦର ଥାନା ଅଧିନ ଭରତପୁର ପ˚ଚାୟତ ଜଗନ୍ନାଥପୁର ଗାଁରେ ଶିକ୍ଷୟିତ୍ରୀଙ୍କ ଘରୁ ଏବ˚ ହରିଅଙ୍କ ପ˚ଚାୟତ ଭୋଳହାଟ ଗାଁର ଫାର୍ମାସିଷ୍ଟଙ୍କ ଘରୁ ହୋଇଥିବା ଡକାୟତି ଘଟଣାକୁ ଛାଡ଼ି ଦେଲେ ଅନ୍ୟ ସବୁ ଘଟଣାରେ ପୁଲିସ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି।

ତେଣୁ ସଦର ପୁଲିସ ପାଇଁ ଏହି ଦୁଇ ଡକାୟତି ଘଟଣାରେ ଅପରାଧୀ ଧରାନପଡ଼ିବା ମୁଣ୍ତବିନ୍ଧାର କାରଣ ହୋଇଥିବା ବେଳେ ବୁଧବାର ରାତିରେ ଗୁଲନଗର ହାଇସ୍କୁଲ୍‌ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ ମେସିନ୍‌ ତାଡ଼ି ଟଙ୍କା ଲୁଟ୍‌ ଉଦ୍ୟମ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ମିଳିଥିବା ସୂଚନାନୁଯାୟୀ ଦୁଇ ଦୁର୍ବୃତ୍ତ ଏଟିଏମ୍‌ ଭିତରେ ପଶି ମେସିନ୍‌ ତାଡ଼ିଥିବା ବେଳେ ଅନ୍ୟ ତିନିରୁ ଅଧିକ ଅଭିଯୁକ୍ତ ବାହାରେ ଥିଲେ। ଶାବଳ ଓ କଟର‌୍‌ ମେସିନ୍‌ ସାହାଯ୍ୟରେ ମେସିନ୍‌ ଉପର କଭର‌୍‌ କାଟି ବାହାର କରିଦେବାରେ ସଫଳ ହୋଇଛନ୍ତି। ହେଲେ ମେସିନ୍‌ରେ ଟଙ୍କା ଗଚ୍ଛିତ ଥିବା ସ୍ଥାନରେ ପହଞ୍ଚି ପାରିନାହାନ୍ତି। ଥାନାଧିକାରୀ ଶ୍ରୀ ମହାରଣାଙ୍କ ସୂଚନାନୁଯାୟୀ, ଦୁର୍ବୃତ୍ତ ମାନେ ମେସିନ୍‌ ତାଡ଼ୁଥିବା ବେଳେ ପିସିଆର‌୍‌ ଭ୍ୟାନ୍‌ ପାଟ୍ରୋଲି˚ କରୁଥିଲେ। ସେମାନେ ଭ୍ୟାନ୍‌ ଦେଖି ଦୌଡ଼ି ପଳାଇଥିଲେ। ଦୁଇ ଜଣଙ୍କୁ ଆମେ କାବୁ କରିବାରେ ସଫଳ ହୋଇଛୁ। ଉଭୟଙ୍କୁ ଥାନାରେ ଅଟକ ରଖାଯାଇ ଜେରା ଚାଲିଥିବା ଶ୍ରୀ ମହାରଣା ସୂଚନା ଦେଇଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ଗତକାଲି ବିବାହ ଥିଲା। ସାରା ରାତି ଲୋକଙ୍କ ଯା’ଆସ ରାସ୍ତାରେ ହୋଇଛି। ଏହାସତ୍ତ୍ବେ ଯଦି ଅପରାଧୀ ମାନେ ଏଟିଏମ୍‌ ମେସିନ୍‌ ତାଡ଼ି ଲୁଟ୍‌ ଉଦ୍ୟମ କରିବାର ସାହସ ଦେଖାଇ ପାରୁଛନ୍ତି, ତା’ହେଲେ ଧରିନେବାକୁ ପଡ଼ିବ ଯେ ଖାକି ପ୍ରତି ଅପରାଧୀଙ୍କ ଆଉ ଭୟ ନାହିଁ!

ସମ୍ବନ୍ଧିତ ଖବର