କେନ୍ଦୁଝର/ପଦ୍ମପୁର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ଏକ ଷ୍ଟେ୍ଟବ୍ୟାଙ୍କ୍ ଏଟିଏମ ଲୁଟ୍ ପାଇଁ ଦୁର୍ବୃତ୍ତମାନେ ଉଦ୍ୟମ କରି ବିଫଳ ହୋଇଛନ୍ତି। ଜଣେ ନେପାଳୀ ବାହାଦୁରଙ୍କ ବାହାଦୁରୀ ପାଇଁ ଏହି ଏଟିଏମ ଲୁଟ୍ ବିଫଳ ହୋଇଥିବାରୁ କେନ୍ଦୁଝର ପୁଲିସ ସମ୍ପୃକ୍ତ ବାହାଦୁରଙ୍କୁ ୨ ହଜାର ଟଙ୍କାର ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ଏକ ଷ୍ଟେ୍ଟବ୍ୟାଙ୍କ୍ ଏଟିଏମ ତାଡ଼ି ଲୁଟ୍ ଉଦ୍ୟମ କରିଥିଲେ। ଏହି ସମୟରେ ସେଠାରେ ହୁଇସିଲ ମାରି ଡ୍ୟୁଟି କରୁଥିବା ଜଣେ ବାହାଦୁର ଦୁର୍ବୃତ୍ତମାନଙ୍କୁ ଏଟିଏମ ତାଡ଼ୁଥିବା ଦେଖି ଏହାର ବିରୋଧ କରିଥିଲେ। ମାତ୍ର ୫/୬ ଜଣ ଦୁର୍ବୃତ୍ତ ବାହାଦୂରକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ କବଳରୁ ଖସି ଯାଇ ବାହାଦୁର ବଡ଼ ପାଟିରେ ବଜାରରେ ଶୋଇଥିିବା କିଛି ଲୋକଙ୍କୁ ଡାକିଥିଲେ। ଲୋକେ ବାହାଦୁରର ଚିତ୍କାର ଶୁଣି ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ଖବର ପାଇ କେନ୍ଦୁଝର ଏସପି, ଏସଡିପିଓ, ସଦର ଥାନା ଇନସପେକ୍ଟରଙ୍କ ସହିତ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଏଟିଏମକୁ ଭାଙ୍ଗି ଦେଇଥିଲେ ମଧ୍ୟ କ୍ୟାସ୍ ଚାମ୍ବରକୁ ତାଡ଼ିବା ପୂର୍ବରୁ ଲୋକେ ପହଞ୍ଚି ଯିବାରୁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।