ସୋରରେ ପୁଣି ଏଟିଏମ୍‌ ଲୁଟ୍‌: ଏଟିଏମ୍‌ ପାସୱାର୍ଡ ଓ ପିନ୍‌ନମ୍ବର ନକହିବାରୁ ଆକ୍ରମଣ 

ମୋବାଇଲ-ଲାପଟପ୍‌ ଭାଙ୍ଗିଲେ, ୩୫ହଜାର ଲୁଟିଲେ

ସୋର: ଜିଲ୍ଲାରେ ଗୋ‌ଟିଏ ‌ପରେ ଗୋଟିଏ ଏଟିଏମ୍‌ ଲୁଟ୍‌ ହୋଇଚାଲିଛି। କେତେବେଳେ ଏଟିଏମ୍‌କୁ ଟାର୍ଗେଟ୍‌ କରାଯାଉଛି ତ କେତେବେଳେ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ମରଣାନ୍ତକ ଆକ୍ରମଣ ହେଉଛି। ଗତ କିଛିଦିନ ମଧ୍ୟରେ ସାରା ବାଲେଶ୍ବରରେ ଆଇନ ଶୃଙ୍ଖଳା ପରିସ୍ଥିତି ଏହିପରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଜିଲ୍ଲା ପୁଲିସର ନିଦ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି।

ଘଟଣା କ୍ରମରେ ସୋର ଥାନା ସାଉଡ଼ ଗ୍ରାମର ଅଜୟ ବାରିକ(୨୪) ଆଜି ଦ୍ବି-ପ୍ରହର ସମୟରେ ସୋର ରେଳଷ୍ଟେସନ ପରିସରରେ ଥିବା ଏଟିଏମ୍‌ରୁ ୩୫ ହଜାର ଟଙ୍କା ଉଠାଇବା ବେଳେ ୩ ଜଣ ଦୁର୍ବୃତ୍ତ ଏକାସାଙ୍ଗରେ ଏଟିଏମ୍‌ ଭିତରକୁ ପଶିଥିଲେ। ଅଜୟଙ୍କୁ ସେମାନେ ଏଟିଏମ୍‌ କାର୍ଡ଼ ଓ ପିନ୍‌ ନମ୍ବର ମାଗିଥିଲେ। ସେ ପାଟି କରିବାରୁ ସେମାନ‌େ ନିସ୍ତୁକ ମାଡ଼ ମାରିବା ସହ ସେହି ଟଙ୍କା ଛଡ଼ାଇ ନେଇଥିଲେ। ଏହି ଆକ୍ରମଣରେ ତାଙ୍କ ମୋବାଇଲ ଓ ଲାପଟପ୍‌ ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି।

ଷ୍ଟେସନ ଆଗରେ ଯୁବକଙ୍କୁ ଆକ୍ରମଣ ସତ୍ତ୍ବେ କିଛି ଦୂରରେ ଉପସ୍ଥିତ ଥିବା ରେଳ ସୁରକ୍ଷା ବଳ(ଆରପିଏଫ୍‌) କର୍ମଚାରୀ କେବଳ ଦେଖଣାହାରୀ ସାଜିଥିଲେ। ଏ ସଂପର୍କରେ ଘଟଣାସ୍ଥଳରେ ଥିବା ଲୋକେ ଆରପିଏଫ୍‌ ପୁଲିସ କର୍ମୀଙ୍କୁ ଜଣାଇଥିଲେ ମଧ୍ୟ ଏହି ଏଟିଏମ୍‌ ସୋର ଥାନା ଅଧୀନରେ ଅଛି। ତେଣୁ ସେମାନେ କିଛି କରିପାରିବେନି ବୋଲି କହିଥିଲେ। ସେପଟେ ଯୁବକଜଣକ ସୋର ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର