ଝାରବନ୍ଧରେ ଏଟିଏମ୍‌ ସେବା ବିପର୍ଯ୍ୟସ୍ତ

ଝାରବନ୍ଧ: ଝାରବନ୍ଧ ବ୍ଲକ୍‌ ସଦର ମହକୁମାରେ ଥିବା ଏସ୍‌ବିଆଇର ଏଟିଏମ୍‌ଟି ପ୍ରାୟତଃ ଖରାପ ରହୁଥିବାରୁ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଏହା କେବେ ଚାଲୁଛି ଓ କେବେ ଖରାପ ହେଇ ବନ୍ଦ ରହୁଛି ସେ ନେଇ ଲୋକେ ଜାଣିପାରୁ ନଥିବା ବେଳେ ଟଙ୍କା ଉଠାଣ ନେଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଭିଯୋଗ ଅନୁସାରେ ବ୍ଲକ୍‌ରେ ବ୍ୟାଙ୍କ୍‌ ସେବା ଯୋଗାଇବା ପାଇଁ ଝାରବନ୍ଧରେ ରହିଛି ଏକମାତ୍ର ବ୍ୟାଙ୍କ ଏସ୍‌ବିଆଇ। ବ୍ଲକ୍‌ରେ ୮୩ଟି ରାଜସ୍ୱ ଗାଁ ରହିଥିବା ବେଳେ ଅଧିକାଂଶ ଲୋକେ ଏହି ବ୍ୟାଙ୍କ୍‌ର ଗ୍ରାହକ। ଫଳରେ ପ୍ରତିଦିନ ବ୍ୟାଙ୍କରେ ଜମା, ଉଠାଣ ସହ ଅନ୍ୟାନ୍ୟ କାରବାର ପାଇଁ ପ୍ରବଳ ଭିଡ଼ ଜମିଥାଏ। ଏପରିକି ଲୋକେ ବ୍ୟାଙ୍କ୍‌ ଖୋଲିବା ଢେର ସମୟ ପୂର୍ବରୁ ଆସି ଧାଡ଼ି ବାନ୍ଧିଥାନ୍ତି। ତେବେ ଏହାକୁ ଏଠାରେ ସ୍ଥାପିତ ଏଟିଏମ୍‌ କିଛି ପରିମାଣରେ ଲାଘବ କରୁଥିଲା। ମାତ୍ର ପ୍ରାୟତଃ ତାହା ଖରାପ ରହୁଥିବାରୁ ଲୋକେ ସେବା ପାଇ ନ ପାରି ପୁଣି ଥରେ ବ୍ୟାଙ୍କ୍‌ରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଝାରବନ୍ଧ ଓଡ଼ିଶା ଓ ଛତିଶଗଡ଼ ସୀମାରେ ଥିବାରୁ ଏହି ବାଟ ଦେଇ ପ୍ରତ୍ୟହ ନୃସିଂହନାଥ ପୀଠକୁ ବହୁ ସଂଖ୍ୟାରେ ଲୋକେ ଯାତାୟାତ କରିଥାନ୍ତି। ଏଥି ଯୋଗୁଁ ସଂପୃକ୍ତ ଏଟିଏମ୍‌ଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମାତ୍ର ଉପରୋକ୍ତ କାରଣରୁ ଅଂଚଳବାସୀଙ୍କ ସହ ପର୍ଯ୍ୟଟକମାନେ ବହୁ ଅସୁବିଧା ଭୋଗୁଛନ୍ତି। ତେଣୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଏଟିଏମ୍‌ଟିକୁ ମରାମତି କରି କାର୍ଯ୍ୟକ୍ଷମ କରିବା ସହ ବିକଳ୍ପ ଭାବେ ରାସ୍ତାରେ ଆଉ ଏକ ଏଟିଏମ୍‌ କାଉଣ୍ଟର୍‌ ସ୍ଥାପନ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର