ଥମୁନାହିଁ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦୌରାତ୍ମ୍ୟ

ପୁଣି ଏକ ମୃତଦେହକୁ ଅଟକାଇ, ସମ୍ପର୍କୀୟଙ୍କୁ ଧମକଚମକ ଦେଲେ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦୌରାତ୍ମ୍ୟ ଥମୁନାହିଁ କି ପୁଲିସ ପ୍ରଶାସନ ସେମାନଙ୍କୁ ନିୟନ୍ତ୍ରଣ କରିବାରେ କୌଣସି ପଦକ୍ଷେପ ନେଉନାହିଁ । ପୁଣି ୧ ମାସ ବ୍ୟବଧାନରେ ଘରୋଇ ଆମ୍ବୁଲାନ୍ସ ଚାଳକମାନେ ହସ୍ପିଟାଲ୍ ପରିସରରେ ଏକ ରୋଗୀଙ୍କ ମର ଶରୀରକୁ ନଛାଡ଼ି, ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଧମକଚମକ ଦେଇଛନ୍ତି ।
ସୂଚନାନୁସାରେ, ସୁନାଖଳା ନିକଟସ୍ଥା ବାୟାପଲ୍ଲୀ ଗାଁର ପାଣୁ ସେଠୀଙ୍କ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପାଣୁଙ୍କ ପରିବାର ଗରିବ ହୋଇଥିବାରୁ ମର ଶରୀର ନେବା ପାଇଁ କୌଣସି ଲୋକଙ୍କୁ ଅନୁରୋଧ କରି ଏକ ଅଟୋ ଯୋଗାଡ଼ କରିଥିଲେ । ଅଟୋ ଆସି ପାଣୁଙ୍କ ମର ଶରୀର ନେବା ବେଳେ ଚିକିତ୍ସାଳୟ ପରିସରରେ ଥିବା ଘରୋଇ ଆମ୍ବୁଲାନ୍ସ ଚାଳକମାନେ ଅଟୋ ଆଗରେ ଆମ୍ବୁଲାନ୍ସ ଥୋଇ ଯିବାକୁ ଦେଇନଥିଲେ । ଚିକିତ୍ସାଳୟରୁ କୌଣସି ମୃତ ଦେହ କିମ୍ବା ରୋଗୀ ନେବା ପାଇଁ ସେମାନଙ୍କ ଆମ୍ବୁଲାନ୍ସରେ ନେବାକୁ ବାଧ୍ୟ ବୋଲି ଧମକ ଦେଇଥିଲେ । ଏହାର ପ୍ରତିବାଦ କରିବାକୁ ସେମାନେ ଅଟୋ ଚାଳକକୁ ଗାଳିଗୁଲଜ କରିବା ସହ ଟଣାଓଟରା ମଧ୍ୟ କରିଥିଲେ ।
ଏନେଇ ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଏନେଇ କୌଣସି ଅଭିଯୋଗ ଆସିନାହିଁ । ତେବେ ଅନେକ ସମୟରେ ଚିକିତ୍ସାଳୟ ପରିସରରେ ଘରୋଇ ଆମ୍ବୁଲାନ୍ସ ଚାଳକଙ୍କ ଦୌରାତ୍ମ୍ୟକୁ ନେଇ ଅନେକ ଅଭିଯୋଗ ହୋଇଛି । କରୋନା ମହାମାରୀ ସମୟରେ ଏହି ଦୌରାତ୍ମ୍ୟ ଅନେକ ଗୁଣରେ ବଢ଼ିଯାଇଛି । ପ୍ରାୟ ୧ ମାସ ପୂର୍ବେ ହସ୍ପିଟାଲ୍ ପରିସରରେ ଅନୁରୂପ ଏକ ମୃତଦେହକୁ ଅଟକାଇ ଘରୋଇ ଆମ୍ବୁଲାନ୍ସ ଚାଳକମାନେ ମୃତବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କରିଥିଲେ । ଏନେଇ ଲିଖିତ ଅଭିଯୋଗ ହେବା ପରେ ଗାଡ଼ି ସହ ଦୁଇଜଣ ଗିରଫ ହୋଇଥିଲେ । ସେହିଭଳି ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଆମ୍ବୁଲାନ୍ସ ଭଡ଼ାକୁ ନେଇ ଚିକିତ୍ସାଳୟ ପରିସରରେ ଘରୋଇ ଚାଳକମାନେ ଖଣ୍ଡାକାତି ଧରି ବେଶ୍ କିଛି ସମୟ ଆତଙ୍କ ସୃଷ୍ଟି କରିଥିଲେ । ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିନଥିଲା ।
ଚିକିତ୍ସାଳୟ ପରିସରରେ ଏଭଳି କ୍ରମାଗତ ଭାବେ ଘରୋଇ ଆମ୍ବୁଲାନ୍ସ ଚାଳକ ଓ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିଚାଲିଥିଲେ ମଧ୍ୟ ପୁଲିସ ପ୍ରଶାସନ କୌଣସି ପଦକ୍ଷେପ ନନେବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଏପରିକି ଗତ ୩ ବର୍ଷ ଧରି ନିୟମିତ ଭାବେ ଖୋର୍ଦ୍ଧାର ବିଭିନ୍ନ ନାଗରିକ ସଂଗଠନ ଠାରୁ ଆରମ୍ଭ କରି ହସ୍ପିଟାଲ୍ କର୍ତୃପକ୍ଷ ଚିକିତ୍ସାଳୟ ପରିସରରେ ଏକ ଫାଣ୍ଡିର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ ଏଯାଏଁ ଏଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ ।

ସମ୍ବନ୍ଧିତ ଖବର