ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ; ଦୁଇ ଭାଇ ଗୁରୁତର

ଅନୁଗୁଳ : ଆଜି ନିଶା ଥାନା ଅନ୍ତର୍ଗତ ପିତାବଳୀ ଛକ ନିକଟରେ ଏକ ହୋଟେଲ ମାଲିକ ଓ ରାସନ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ନିଶା ଥାନା ପରଙ୍ଗ ଗ୍ରାମର ତଳ‌ସାହି ଅଞ୍ଚଳର ହୋଟେଲ ମାଲି ଚତୁର୍ଭୂଜ ବେହେରା (୩୦) ଓ ତାଙ୍କ ଭାଇ ବିଦ୍ୟାଧର ବେହେରା(୩୩) ଆଜି ଉଭେୟ ଦୋକାନ ଖୋଲି ବ୍ୟବସାୟ କରୁଥିଲେ। ଦିନ ପ୍ରାୟ ୩ ଟା ବେଳକୁ ୪/୫ ଜଣ ମଦ୍ୟପ ଯୁବକ ଆସି ସେମାନଙ୍କ ଦୋକାନରୁ ବିଭିନ୍ନ ଜିନିଷ ନେଇଥିଲେ। ହେଲେ ଉକ୍ତ ଜିନିଷର ଟଙ୍କା ଦେଇ ନଥିଲେ।

ଫଳରେ ଉଭୟ ଚତୁର୍ଭୂଜ ଓ ବିଦ୍ୟାଧର ଉକ୍ତ ମଦ୍ୟପ ଯୁବକ ମାନଙ୍କୁ ଟଙ୍କା ମାଗିଥିଲେ। ହେଲେ ସେମାନେ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଯାହା ଫଳରେ ଉକ୍ତ ଯୁବକଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉକ୍ତ ଯୁବକମାନେ ଉତ୍ୟକ୍ତ ହୋଇ ବିଦ୍ୟାଧର ଓ ଚତୂର୍ଭୂଜଙ୍କୁ ଠେଙ୍ଗା ଏବଂ ହୋଟେଲରେ ଥିବା ଭାତ ଛଣା ଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ।

ସେମାନଙ୍କ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକମାନେ ସେଠାକୁ ଦୌନି ଆସିଥିଲେ। ଫଳରେ ଉକ୍ତ ଯୁବକମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ସେମାନଙ୍କ ମାଡ଼ରେ ଚତୁର୍ଭୁଜଙ୍କ ମୁଣ୍ଡ, ଛାତି, ଗୋଡ଼ ଓ ପିଠିରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ବିଦ୍ୟାଧରଙ୍କ ମୁଣ୍ଡ ଓ ଶରୀର ବିିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର