ପିପିଲି : ପିପିଲି ଥାନା ଉଜାଣୀପଡ଼ା ଗ୍ରାମର ଜଣେ ଯୁବକଙ୍କୁ ଏକ ଗୋଷ୍ଠୀ ଚାପଡ଼ରେ ହାଣିବା ସହ ପ୍ରାଣାନ୍ତକ ଆକ୍ରମଣ କରିବା ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଯେ କୌଣସି ସମୟରେ ପୁଣି ଅଘଟଣ ଘଟିବାର ଆଶଙ୍କା ରହିଛି। ପିପିଲି ପୁଲିସ ଦାନଗହୀର, ଉଜାଣିପଡ଼ା ଓ ଆଖପାଖ ଗାଁ ସହ ପିପିଲି ବଜାର ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖିଛି। ପୁଲିସ ସୂଚନା ଅନୁସାରେ ଗତ ମଙ୍ଗଳବାର ପିପିଲି କଲେଜରେ ଏକ କମେଣ୍ଟ୍ମରାକୁ ନେଇ ସଙ୍ଘର୍ଷର ସୂତ୍ରପାତ ହୋଇଥିଲା। ଖବରପାଇ ସେହିଦିନ ପୁଲିସ କଲେଜରେ ପହଞ୍ଚିଥିଲା। କିନ୍ତୁ ବୁଧବାର ମଧ୍ୟାହ୍ନରେ କଲେଜଠାରୁ ଅନତି ଦୂରରେ ଉଜାଣିପଡ଼ା ଗାଁର ନାନୁ ପ୍ରଧାନ(୨୨)ଙ୍କୁ ଅପର ଗୋଷ୍ଠୀର କେତେକ ଅସାମାଜିକ ବ୍ୟକ୍ତି ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ତାଙ୍କର ମୁହଁ ଓ ଛାତିକୁ ଚାପଡ଼ରେ ହାଣିବା ସହ ଜୀବନରୁ ମାରି ଦେବାପାଇଁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି।
ଏହା ପରେ ପିପିଲି ପୌରାଞ୍ଚଳର ଏକାଧିକ ଜାଗାରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଅପରପକ୍ଷ ଗୋଷ୍ଠୀକୁ ଚେତାବନୀ ଦେଇଥିଲେ। ପରୋକ୍ଷ ଭାବେ ପୁଲିସକୁ ଗୋଷ୍ଠୀ ସଙ୍ଗର୍ଷର ପ୍ରାକ ସୂଚନା ଦେବାସହ ଗଣ୍ତଗୋଳ ପାଇଁ ପ୍ରସ୍ତୁତ ହୋଇଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ପୁଲିସ ମଧ୍ୟ ଅଧିକ ସକ୍ରୀୟ ହୋଇଛି। ପୁଲିସ ପକ୍ଷରୁ ଘଟଣା ଉପରେ ଗୁରୁତ୍ବ ଦେଇ ପାଟ୍ରୋଲିଂ ଜାରି ରହିଛି। ଗୁରୁତର ଆହତ ଅବସ୍ଥାରେ ନାନୁ ଏବେ ଚିକିତ୍ସାଧୀନ ଅଛନ୍ତି। ଏ ସମ୍ପର୍କରେ ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକଙ୍କୁ ପଚାରିବାରେ ୩ଟି ମାମଲା ହୋଇଛି ଓ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ସେ କହିଥିଲେ। ଏହି ଘଟଣାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପିପିଲି ପୌରାଧ୍ୟକ୍ଷ ଶେକ୍ ବାବୁ କହିଛନ୍ତି। ଅନ୍ୟପକ୍ଷରେ ଉଭୟ ପକ୍ଷଙ୍କ ମୁରବୀଙ୍କୁ ନେଇ ଶାନ୍ତି ଆଲୋଚନା ଅବ୍ୟାହତ ରହିଛି ଓ ଖୁବଶୀଘ୍ର ପରିସ୍ଥିତି ଶାନ୍ତ ହେବ ବୋଲି ପିପିଲି ଶାନ୍ତି କମିଟିର ସଭାପତି ବିକ୍ରମ ସିଂହ କହିଛନ୍ତି।