ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳଛକରେ ଆଜି ସକାଳ ସାଢ଼େ ୮ଟାବେଳେ ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଭୁଜାଲିରେ ହାଣି ୧ ଲକ୍ଷ ସାତ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଙ୍କି ଗ୍ରାମର ବିପିନ ବିହାରୀ ପଲେଇଙ୍କ ପୁଅ ଆଲୋକ ପଲେଇ (୩୮) ଓ ରାହାସ ବିହାରୀ ବାରିକଙ୍କ ପୁଅ ଅମିୟ କୁମାର ବାରିକ (୩୯) ଏକ ବାଇକ୍ ଯୋଗେ ତେଲକୋଇ ଥାନା ଛାମୁଣ୍ଡା ଗ୍ରାମକୁ ଯାଉଥିଲେ। ଦୁଇଜଣ ଲୁଟେରା ଏକ ବାଇକ୍‌ରେ ତେଲକୋଇ ବଜାରରୁ ସେମାନଙ୍କୁ ପିଛା କରିଥିଲେ।

Advertisment

ଦୋବଲାପାଳ ବସ୍‌ଷ୍ଟାଣ୍ଡଠାରୁ କିଛି ଦୂରରେ ସେମାନଙ୍କୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ଭୁଜାଲିରେ ହାଣି ଏକଲକ୍ଷ ସାତ ହଜାର ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ଆଲୋକ ଓ ଅମିୟଙ୍କ ହାତରେ ଶକ୍ତ ଆଘାତ ଲାଗିଛି। ଆହତଙ୍କୁ ତେଲକୋଇ ଡାକ୍ତରଖାନା ନିଆଯାଇ ପ୍ରାଥମିକ ଚିକିତ୍ସା କରିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଏନେଇ ତେଲକୋଇ ଥାନାରେ କେସ୍‌ ନମ୍ବର ୧୫୬/୨୦୨୩ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡ଼ି କାମ ପାଇଁ ସେମାନେ ଟଙ୍କା ନେଇ ଛାମୁଣ୍ଡା ଯାଉଥିଲେ ବୋଲି ଲୁଟ୍‌ର ଶିକାର ହୋଇଥିବା ଦୁଇ ଯୁବକ କହିଛନ୍ତି।