ହୋଟେଲରୁ ଟାଣି ଯୁବକକୁ ପ୍ରାଣାତ୍ମକ ଆକ୍ରମଣ, ୧୦ ଘଣ୍ଟା ପରେ ଯୁବକର ଚେତା ଫେରିଲା

ଭାଇ, ଭଉଣୀ ସମେତ ୩ ଗିରଫ, ୪ ଫେରାର, ନିଶା କାରବାର ସନ୍ଦେହ

ରାଉରକେଲା: ଗତକାଲି ରାତିରେ ଷ୍ଟେସନ ନିକଟ ସ୍ବସ୍ତିକ ଲଜ୍‌ରେ ରହିଥିବା ଜଣେ ଯୁବକଙ୍କୁ ପ୍ରାଣାତ୍ମକ ଆକ୍ରମଣ ହୋଇଛି। ଦୁଇ ଯୁବତୀ ସହ ୭ ଜଣ ହୋଟେଲ ରୁମ୍‌ ଭିତରୁ ଯୁବକକୁ ଜୋରଜବରଦସ୍ତ ବାହାରକୁ ଟାଣି ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣରେ ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଚେତାଶୂନ୍ୟ ହୋଇ ତଳେ ପଡିଯିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହୋଟେଲ କର୍ମଚାରୀ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ ଜଣକ ହେଲେ ମଧ୍ୟପ୍ରଦେଶ ଡାମୋ ହିଣ୍ଡୋରାର ଅମୀର ଖାନ୍‌ (୨୨)।

ଏହି ଘଟଣାରେ ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ଛେଣ୍ଡ କୋ ଅପରେଟିଭ୍‌ କଲୋନିର ଅସୀମ ଦାସ ଓରଫ ବାବୁ (୩୧), ତା ଭଉଣୀ ଓ ଭଉଣୀ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ନିକଟରୁ ଗୋଟିଏ ସ୍କୁଟି ଜବତ ହୋଇଛି। ଘଟଣାରେ ଅନ୍ୟ ୪ଜଣ ଫେରାର ଥିବା ପୁଲିସ କହିଛି। ହୋଟେଲ ମ୍ୟାନେଜର ରାଜୁ କୁଣ୍ଡୁ ଲିଖିତ ଲିଖିତ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମୁଖ୍ୟ ଅଭିଯୁକ୍ତ ଅସୀମ ନାଁରେ ରାଉରକେଲା ଛେଣ୍ଡ, ରଘୁନାଥପାଲୀ, ସମ୍ବଲପୁରର ଧମା, ବୁର୍ଲା ଆଦି ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ବେଆଇନ ନିଶା କାରବାରକୁ ନେଇ ଯୁବକଙ୍କୁ ପ୍ରାଣାତ୍ମକ ଆକ୍ରମଣ କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଗୁରୁତର ଅମୀର ଅଢ଼େଇ ଲକ୍ଷ ଟଙ୍କା ଦେଉ ନଥିବାରୁ ଅସୀମ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର ଅମୀର ଗତକାଲି ଅପରାହ୍ନ ପ୍ରାୟ ୨ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ। ଷ୍ଟେସନ ନିକଟ ସ୍ବସ୍ତିକ ଲଜ୍‌ର ରୁମ୍‌ ନଂ ୨୧୧ରେ ରହିଥିଲେ। ଅମୀର ରାଉରକେଲା ଆସିଥିବା କୌଣସି ସୂତ୍ରରୁ ସୂଚନା ପାଇ ଅସୀମ, ତା’ ଭଉଣୀ ଓ ଅନ୍ୟ ଜଣେ ଯୁବତୀ ରାତି ପ୍ରାୟ ସାଢ଼େ ୮ଟାରେ ହୋଟେଲରେ ପହଞ୍ଚିଥିଲେ। ରିସିପ୍‌ସନ୍‌ ଡ୍ୟୁଟିରେ ଥିବା ହୋଟେଲ କର୍ମଚାରୀଙ୍କୁ ଅମୀର କେଉଁ ରୁ୍‌ମ୍‌ରେ ରହୁଛି ବୋଲି ପଚାରିଥିଲେ। ହୋଟେଲ କର୍ମଚାରୀ କିଛି ନ ଜାଣି ଅମୀର ରୁମ୍‌ ନଂ ୨୧୧ରେ ରହୁଛି ବୋଲି କହିଥିଲେ। ପରେ ଅସୀମ, ତା’ର ଭଉଣୀ ସମେତ ୪ରୁ ୫ ଜଣ ହୋଟେଲ ଭିତରୁ ଅମୀରକୁ ଜୋରଜବରଦସ୍ତ ବାହାରକୁ ଟାଣି ଆଣିଥିଲେ। ହୋଟେଲ ସାମ୍ନାରେ ସଂଘବଦ୍ଧ ଭାବେ ଗୋ‌ଡେଇ ତୋଡେଇ ମାଡ ମାରିଥିଲେ। ଫଳରେ ଅମୀର ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ।

ପୁଲିସ ପହଞ୍ଚି ହୋଟେଲ କର୍ମଚାରୀଙ୍କ ସହାୟତାରେ ଅମୀରକୁ ଉଦ୍ଧାର କରି ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ପ୍ରାୟ ୧୨ ଘଣ୍ଟା ପରେ ଅର୍ଥାତ୍‌ ଆଜି ସକାଳ ପ୍ରାୟ ୬ଟାରେ ଅମୀର ହୋସ୍‌ ଆସିଥିଲା। ପୁଲିସ ଅମୀରକୁ କେଉଁମାନେ ମାଡ ମାରିଥିଲେ ପଚାରିଥିଲେ। କିନ୍ତୁ ଅମୀର କିଛି କହି ପାରିନଥିଲା। ପୁଲିସ ହୋଟେଲରେ ଲାଗିଥିବା ସିସି ଟିଭି ଫୁ‌ଟେଜ୍‌, ହୋଟେଲ କର୍ମଚାରୀଙ୍କ ବୟାନକୁ ଆଧାର କରି ଛେଣ୍ଡ କଅପରେଟିଭ କଲୋନିର ଅସୀମ ସହ ତା’ ଭଉଣୀକୁ ଗିରଫ କରିଥିଲା। ପରେ ତା’ ସୂଚନା ଆଧାରରେ ଅନ୍ୟ ଜଣେ ଯୁବତୀକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର